କଟକ: କଟକରେ ବିକ୍ରି ହେଉଥିବା ଛେନା ଓ ପନିର ଖାଉଛନ୍ତି କି ? ଯଦି ଖାଉଛନ୍ତି ତାହେଲେ ସତର୍କ ହୋଇ ଯାଆନ୍ତୁ। ଆପଣଙ୍କର ଲିଭର ଏବଂ କିଡ୍‌ନୀ ନଷ୍ଟ ହେବାର ଆଶଙ୍କା ରହିଛି। କାରଣ ଏହି ପନିରରେ ଡିଟରଜେଣ୍ଟ ଓ ମଇଦା ମିଶ୍ରଣ କରାଯାଉଛି। ପନିରକୁ ଅଧିକ ଧଳା ଓ ନରମ କରିବାକୁ ଅସାଧୁ ବ୍ୟବସାୟୀମାନେ ଏପରି ଅପମିଶ୍ରଣ ଚଳାଇଛନ୍ତି। କଟକ ମହାନଗର ନିଗମ (କେଏମସି) ପକ୍ଷରୁ କିଛିଦିନ ପୂର୍ବେ ମଧୁପାଟଣାରୁ ଜବତ ହୋଇଥିବା ପନିରର ନମୁନା ପରୀକ୍ଷା ରିପୋର୍ଟରୁ ଏଭଳି ତଥ୍ୟ ସାମ୍ନାକୁ ଆସିଛି। ଏହି ରିପୋର୍ଟ ରାଜ୍ୟ ଖାଦ୍ୟ ସୁରକ୍ଷା ଆୟୁକ୍ତଙ୍କ ପ୍ରଦାନ କରାଯାଇଛି ବୋଲି କେମଏସି ପକ୍ଷରୁ ସୂଚନା ମିଳିଛି। କେଏମସି ଖାଦ୍ୟ ସୁରକ୍ଷା ବିଭାଗ ପକ୍ଷରୁ ଅଗଷ୍ଟ ୧୯ରେ ମଧୁପାଟଣା ଅଞ୍ଚଳରେ ଚଢ଼ଉ କରାଯାଇଥିଲା। ୭୩ କ୍ବିଣ୍ଟାଲ ଅପମିଶ୍ରିତ ଛେନା ଓ ପନିର ଜବତ କରାଯିବା ସହ ଏହାକୁ
ନଷ୍ଟ କରି ଦିଆଯାଇଥିଲା। ଏଥିସହ ନମୁନାକୁ ହରିଆଣାର ଲାବରଟୋରୀକୁ ପରୀକ୍ଷା ନିମନ୍ତେ ପଠାଯାଇଥିଲା। ଏକମାସ ପରେ ଏହି ରିପୋର୍ଟ ଉକ୍ତ ଲାବରଟୋରୀରୁ ରାଜ୍ୟ ଖାଦ୍ୟ ସୁରକ୍ଷା ଆୟୁକ୍ତଙ୍କ ନିକଟରୁ ଆସିଛି। ଜବତ ପନିର ସମ୍ପୂର୍ଣ୍ଣ ଭାବେ ଅପମିଶ୍ରିତ ଏବଂ ସ୍ବାସ୍ଥ୍ୟ ପ୍ରତି କ୍ଷତିକାରକ ବୋଲି ପ୍ରାଥମିକ ରିପୋର୍ଟରୁ ଜଣାପଡ଼ିଛି। ସିନ୍ଥେଟିକ୍‌ ବା କୃତ୍ରିମ କ୍ଷୀର ତିଆରି କରିବା ପାଇଁ ପାଣି ସହିତ ଡିଟରଜେଣ୍ଟ ପାଉଡର ମିଶାଯାଇଛି। ଫଳରେ ଏହା କ୍ଷୀର ଭଳି ଫେଣ ଓ ଘନତ୍ବ ସୃଷ୍ଟି କରିବା ସହ ଅଧିକ ନରମ କରି ଦେଉଛି। ଯଦି ଏହି ଡିଟରଜେଣ୍ଟ ମିଶ୍ରିତ ପନିର ଲୋକମାନେ ଖାଆନ୍ତି ତାହେଲେ ପେଟ ଯନ୍ତ୍ରଣା, ଝାଡ଼ାବାନ୍ତି, ହଜମ ପ୍ରକ୍ରିୟା ଖରାପ ହେବା ସହ ଦୀର୍ଘଦିନ ଧରି ଖାଇଲେ କିଡ୍‌ନୀ ଏବଂ ଲିଭର ନଷ୍ଟ ହୋଇପାରେ ବୋଲି କେଏମସି ନଗର ସ୍ବାସ୍ଥ୍ୟ ଅଧିକାରୀ ଡ. ନୃପେନ୍ଦ୍ର କୁମାର ଶତପଥୀ କହିଛନ୍ତି। ଏପରିକି ନିଆଳିରୁ ଆସୁଥିବା ସବୁ ପନିର ଅପମିଶ୍ରିତ ବୋଲି ସେ ସ୍ପଷ୍ଟ କରିଛନ୍ତି। ଏ ଦିଗରେ ଖାଦ୍ୟ ସୁରକ୍ଷା କମିସନର ପଦକ୍ଷେପ ନେବାକୁ ଜିଲା ପ୍ରଶାସନ ଓ ପୁଲିସ ସହିତ ଆଲୋଚନା କରୁଥିବା ଡ. ଶତପଥୀ କହିଛନ୍ତି। ଅନ୍ୟପକ୍ଷରେ ଡିଟରଜେଣ୍ଟ ମିଶ୍ରଣକୁ ନିଆଳିର ବ୍ୟବସାୟୀମାନେ ଖଣ୍ଡନ କରିଛନ୍ତି। ସେମାନଙ୍କ କହିବା ମୁତାବକ, ନିଆଳି ଛେନାରେ ମଇଦା ଓ ପାଉଡର ମିଶୁ ଥାଇପାରେ; କିନ୍ତୁ ଡିଟରଜେଣ୍ଟ ମିଶୁନାହିଁ। କଲକାତା ବେପାରୀମାନେ ଏହି କାରବାର କରୁଥିଲେ, ସେମାନେ ଧରା ପଡ଼ିଛନ୍ତି। ରାଜ୍ୟ ସରକାର କ୍ଷୀର ପାଉଡର ବିକ୍ରି ବନ୍ଦ କରିଦେଲେ କୌଣସି ଛେନା ବ୍ୟବସାୟୀ ଏହାକୁ ମିଶ୍ରଣ କରିବେ ନାହିଁ ବୋଲି ବ୍ୟବସାୟୀମାନେ କହିଛନ୍ତି।