ଭୁବନେଶ୍ବର : ରାଜଧାନୀ ଭୁବନେଶ୍ୱରର ଅତି ନିକଟରେ ଥାଇ ମଧ୍ୟ ପାନୀୟ ଜଳ ଭଳି ମୌଳିକ ସୁବିଧାରୁ ବଞ୍ଚିତ ହୋଇଛନ୍ତି ଖୋର୍ଦ୍ଧା ଜିଲ୍ଲା ବାଲିଅନ୍ତା ବ୍ଲକ ପ୍ରତାପରୁଦ୍ରପୁର ଗ୍ରାମପଞ୍ଚାୟତର ନୂଆସାହି (୯ ନମ୍ବର ୱାର୍ଡ) ବାସିନ୍ଦା। ଗାଁରେ ଦୀର୍ଘ ୬ ମାସ ହେଲା ପାନୀୟ ଜଳ ସମସ୍ୟା ଉତ୍କଟ ରୂପ ଧାରଣ କରିଥିଲେ ସୁଦ୍ଧା ସ୍ଥାନୀୟ ପ୍ରଶାସନ କିମ୍ବା ଜନପ୍ରତିନିଧିଙ୍କ ଦେଖା ମିଳୁନଥିବା ଅଭିଯୋଗ ହୋଇଛି। ମିଳିଥିବା ସୂଚନା ମୁତାବକ, ଏହି ୱାର୍ଡରେ ୩୯ ଟି ପରିବାରର ପ୍ରାୟ ୨୦୦ରୁ ଊର୍ଦ୍ଧ୍ୱ ଲୋକ ବସବାସ କରନ୍ତି। ଗତ ୬ ମାସ ହେଲା ଗାଁରେ ଜଳ ଯୋଗାଣ ବ୍ୟବସ୍ଥା ଅଚଳ ହୋଇପଡ଼ିବା ଫଳରେ ଲୋକମାନେ ଟୋପାଏ ପାନୀୟ ଜଳ ପାଇଁ ନାହିଁ ନଥିବା ହଇରାଣ ହେଉଛନ୍ତି। ବିଶୁଦ୍ଧ ପାନୀୟ ଜଳ ଟୋପାଏ ପାଇଁ ଗ୍ରାମବାସୀଙ୍କୁ ନିଜ ଗାଁ ଛାଡ଼ି ପଡ଼ୋଶୀ ଗାଁ ଉପରେ ସମ୍ପୂର୍ଣ୍ଣ ନିର୍ଭର କରିବାକୁ ପଡ଼ୁଛି। ପାନୀୟ ଜଳ ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ଗ୍ରାମବାସୀ ସ୍ଥାନୀୟ ୱାର୍ଡ ମେମ୍ବର, ସରପଞ୍ଚ, ଜଳ ପ୍ରକଳ୍ପ ଅଧିକାରୀଙ୍କ ଠାରୁ ଆରମ୍ଭ କରି ବ୍ଲକ ପ୍ରଶାସନିକ ଅଧିକାରୀଙ୍କ ପର୍ଯ୍ୟନ୍ତ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିସାରିଛନ୍ତି। ହେଲେ ଦୁଃଖର ବିଷୟ, ବାରମ୍ବାର ଗୁହାରି ପରେ ବି କୌଣସି ସୁଫଳ ମିଳିନାହିଁ। ପ୍ରଶାସନର ଏହି ଉଦାସୀନତାକୁ ନେଇ ସ୍ଥାନୀୟ ଜନସାଧାରଣଙ୍କ ମଧ୍ୟରେ ଅସନ୍ତୋଷ କ୍ରମାଗତ ଭାବେ ବୃଦ୍ଧି ପାଇବାରେ ଲାଗିଛି।
ସାଧାରଣ ଲୋକଙ୍କ କହିବା କଥା, ଯଦି ଅତିଶୀଘ୍ର ଏହି ୱାର୍ଡରେ ପାନୀୟ ଜଳ ଯୋଗାଣ ସ୍ୱାଭାବିକ କରାନଯାଏ, ତେବେ ଆଗାମୀ ଦିନରେ ଗ୍ରାମବାସୀ ରାଜରାସ୍ତାକୁ ଓହ୍ଲାଇବାକୁ ବାଧ୍ୟ ହେବେ। ଜିଲ୍ଲା ପରିଷଦ ଓ ଖୋର୍ଦ୍ଧା ଜିଲ୍ଲାପାଳ ଏଥିପ୍ରତି ତୁରନ୍ତ ଦୃଷ୍ଟି ଦେଇ ସମସ୍ୟାର ସମାଧାନ କରିବାକୁ ସାଧାରଣରେ ଦାବି ହେଉଛି।
