ନୂଆଦିଲ୍ଲୀ: ଘରୋଇ ବିଶ୍ବବିଦ୍ୟାଳୟଗୁଡ଼ିକୁ କେବଳ ଲାଭ ପାଇଁ ଚଲା ଯାଇପାରିବ ନାହିଁ। ବ୍ୟବସାୟ ଭଳି ଏହି ସଂସ୍ଥାଙ୍କୁ ଚଲାଇବାକୁ ଅନୁମତି ଦିଆଯିବ ନାହିଁ। ଶିକ୍ଷା ସମ୍ବନ୍ଧିତ ସାର୍ବଜନୀନ ଲକ୍ଷ୍ୟ ହାସଲ କରିବା ଏହାର ଉଦ୍ଦେଶ୍ୟ ହେବା ଉଚିତ ବୋଲି ସୁପ୍ରିମକୋର୍ଟ କହିଛନ୍ତି। ୬ ସପ୍ତାହ ଭିତରେ ବିଶ୍ବବିଦ୍ୟାଳୟ ଗୁଡ଼ିକର ସମୀକ୍ଷା ହୋଇଥିବା ଖାତା ଜମା କରିବାକୁ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ସରକାରଙ୍କୁ ବିଚାରପତି ଅହସାନୁଦ୍ଦିନ ଅମାନୁଲ୍ଲାହ ଓ ଏନଭି ଅଞ୍ଜାରିଆଙ୍କ ପୀଠ ନିର୍ଦେଶ ଦେଇଛନ୍ତି। ଏହା ସହିତ ଅତିରିକ୍ତ ଆୟ, ବ୍ୟୟ, ଦେୟ ଆଦାୟ ଓ କର୍ମଚାରୀଙ୍କ ଦରମା ବାବଦ ସୂଚନା ମଧ୍ୟ ମାଗିଛନ୍ତି। ଏଭଳି ବିଶ୍ବବିଦ୍ୟାଳୟଗୁଡ଼ିକରେ ନାମଲେଖା, ନିଯୁକ୍ତି ଓ ଶିକ୍ଷାଦାନର ସ୍ତର ସମ୍ବନ୍ଧିତ ସୂଚନା ମଧ୍ୟ ଦେବାକୁ ହେବ। ଏମିଟି ବିଶ୍ବବିଦ୍ୟାଳୟ ସମ୍ବନ୍ଧିତ ମାମଲାର ଶୁଣାଣି କରି କୋର୍ଟ ଏହି ନିର୍ଦେଶ ଦେଇଛନ୍ତି। ଏହି ବିଶ୍ବବିଦ୍ୟାଳୟର ଜଣେ ଛାତ୍ରୀ ନାମ ବଦଳାଇବାକୁ ଦାବି କରିଥିଲେ। ମାତ୍ର କର୍ତ୍ତୃପକ୍ଷ ଏହା ନ କରି ତାଙ୍କୁ ହଇରାଣ କରିଥିଲେ। ଏହି ମାମଲାର ପରବର୍ତ୍ତୀ ଶୁଣାଣି ନଭେମ୍ବର ୧୯ରେ ହେବ।

ଶୁଣାଣି ସମୟରେ ସୁପ୍ରିମକୋର୍ଟ କହିଥିଲେ ଯେ ବିଶେଷ କରି ଶିକ୍ଷା ମାମଲାରେ ସାଧାରଣ ନାଗରିକଙ୍କ ପାଇଁ ଏହି ବ୍ୟବସ୍ଥା ରହିିଛି। କୋର୍ଟ ସ୍ପଷ୍ଟ କରିଦେବାକୁ ଚାହୁଁଛନ୍ତି ଯେ କୌଣସି ଘରୋଇ ବିଶ୍ବବିଦ୍ୟାଳୟକୁ ଲାଭଜନକ ସଂସ୍ଥା ଭାବେ ଚଲାଯାଇପାରିବ ନାହିଁ। କୋର୍ଟ ଶିକ୍ଷାଦାନ ଓ ଅଣଶିକ୍ଷକ କର୍ମଚାରୀ ନିଯୁକ୍ତି ପାଇଁ ଦାୟୀ ବୋର୍ଡଗୁଡ଼ିକ ବିଷୟରେ ସୂଚନା ସମେତ ପ୍ରବେଶ ଓ ପାଠ୍ୟକ୍ରମ ସମୟରେ ଆଦାୟ କରାଯାଇଥିବା ଦେୟର ବିବରଣୀ ମାଗିଛନ୍ତି। ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକୁ ଘରୋଇ ବିଶ୍ବବିଦ୍ୟାଳୟଗୁଡ଼ିକର କର୍ମଚାରୀଙ୍କ ଦରମା, ଅନ୍ୟାନ୍ୟ ଦେୟ ଓ ସେମାନଙ୍କର ସେବା ସର୍ତ୍ତାବଳୀ ବିଷୟରେ ସୂଚନା ଦେବାକୁ କୁହାଯାଇଛି। ସମସ୍ତ ବିଶ୍ୱବିଦ୍ୟାଳୟକୁ ସଂଗୃହୀତ ପାଣ୍ଠି, ଏହାର ବ୍ୟବହାର ଓ ବିଶ୍ୱବିଦ୍ୟାଳୟ ସହ ସିଧାସଳଖ ଜଡ଼ିତ ନଥିବା ବ୍ୟକ୍ତିମାନଙ୍କୁ ପ୍ରଦାନ କରାଯାଇଥିବା ଦେୟ ବିଷୟରେ ସମୀକ୍ଷା ରିପୋର୍ଟ ଦାଖଲ କରିବାକୁ ନିର୍ଦେଶ ଦିଆଯାଇଛି। ଏହା ସହିତ ସରକାରଙ୍କଠାରୁ ପାଇଥିବା ସୁବିଧା ସୁଯୋଗ ବିଷୟରେ ସୂଚନା ଦେବାକୁ ପଡ଼ିବ। ଅତିରିକ୍ତ ପାଣ୍ଠି କିପରି ବ୍ୟବହାର କରାଯାଇଥିଲା, ଏହି ପାଣ୍ଠିରୁ ହୋଇଥିବା ନିବେଶର ବିବରଣୀ ମଧ୍ୟ ପ୍ରଦାନ କରାଯିବା ଆବଶ୍ୟକ।