ୱାଶିଂଟନ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ବିତୀୟ କାର୍ଯ୍ୟକାଳ ବିବାଦପୂର୍ଣ୍ଣ ହୋଇଯାଇଛି। ସେ ନେଉଥିବା ନିଷ୍ପତ୍ତି ଯୋଗୁଁ ଖାଲି ଆମେରିକା ନୁହେଁ; ସମଗ୍ର ବିଶ୍ବ ପ୍ରଭାବିତ ହୋଇଛି। ଶତ୍ରୁ କଥା ତ ଛାଡ଼ନ୍ତୁ, ମିତ୍ର ରାଷ୍ଟ୍ରଗୁଡ଼ିକୁ ବି ଟ୍ରମ୍ପ ଛାଡୁନାହାନ୍ତି। ବିସ୍ତାରବାଦ ନୀତି ପାଇଁ ଗୋଟିଏ ପରେ ଗୋଟିଏ ବନ୍ଧୁ ରାଷ୍ଟ୍ର ଟ୍ରମ୍ପଙ୍କ ହାତ ଛାଡ଼ୁଛନ୍ତି। ପୂର୍ବରୁ ଗ୍ରୀନଲାଣ୍ଡକୁ ନେଇ ଟ୍ରମ୍ପ ଧମକ ଦେବାରୁ ଡେନମାର୍କ ସହ ଆମେରିକାର ସମ୍ପର୍କ ଖରାପ ହୋଇଥିଲା। ନାଟୋ ଦେଶ ମଧ୍ୟ ଟ୍ରମ୍ପଙ୍କ ନିଷ୍ପତ୍ତିକୁ ବିରୋଧ କରିଥିଲେ। ଏହାକୁ ନେଇ ଟ୍ରମ୍ପ କ୍ଷୁବ୍ଧ ହୋଇଥିଲେ। ୟୁରୋପ ଦେଶଗୁଡ଼ିକୁ ନିଜ ସୁରକ୍ଷା ନିଜେ ଦେଖିବାକୁ ଓ ନାଟୋ ଭଙ୍ଗ କରିବାକୁ ବି ଧମକ ଦେଇଥିଲେ। କିଛି ଦିନ ଶାନ୍ତ ରହିବା ପରେ ଏବେ ପୁଣିଥରେ ଟ୍ରମ୍ପ ଏଭଳି ଆଭିମୁଖ୍ୟ ଗ୍ରହଣ କରୁଛନ୍ତି। ଯାହାକୁ ନେଇ ନାଟୋରେ ଫାଟ ସୃଷ୍ଟି ହେବାର ଆଶଙ୍କା ରହିଛି। ଟ୍ରମ୍ପଙ୍କ ନୀତି ପାଇଁ କାନାଡ଼ା ଆମେରିକାଠୁ ଦୂରେଇ ଯିବାରେ ଲାଗିଛି। ଏହି ଦେଶକୁ ପ୍ରଥମ ସଦସ୍ୟ ଭାବେ ସାମିଲ ହେବାକୁ ୟୁରୋପୀୟ ସଂଘ (ଇୟୁ) ପ୍ରସ୍ତାବ ଦେଇଛି। ତେବେ ଟ୍ରମ୍ପ ଏହାକୁ ସହ୍ୟ କରିପାରୁନାହାନ୍ତି। ଏ ନେଇ ଇୟୁକୁ ଧମକ ଦେବାର ଦିନକ ପରେ ସେ ନାଟୋ ଉପରେ ଚାପ ପ୍ରୟୋଗ କରିବା ଆରମ୍ଭ କରିଛନ୍ତି। ୟୁରୋପରୁ ୪୦ ହଜାର ଆମେରିକୀୟ ସୈନିକଙ୍କୁ ପ୍ରତ୍ୟାହାର କରିବାକୁ ଟ୍ରମ୍ପ ବିଚାର କରୁଛନ୍ତି। ଏବେ ୟୁରୋପରେ ପ୍ରାୟ ୮୦ ହଜାର ଆମେରିକୀୟ ସୈନିକ ମୁତୟନ ଅଛନ୍ତି। ତେବେ ପେଣ୍ଟାଗନ ଏହା ଉପରେ ଚୂଡ଼ାନ୍ତ ନିଷ୍ପତ୍ତି ନେଇନାହିଁ। ସମୀକ୍ଷା ପରେ ନଭେମ୍ବର ଶେଷ ସୁଦ୍ଧା ସୈନ୍ୟ ପ୍ରତ୍ୟାହାର ନେଇ ନିଷ୍ପତ୍ତି ନିଆଯାଇପାରେ। ଏହା ପରେ ଯାଇ ଟ୍ରମ୍ପ କୌଣସି ନିଷ୍ପତ୍ତି ନେବେ। ମାତ୍ର ୟୁରୋପ ଉପରେ ଚାପ ପକାଇବା ପାଇଁ ଟ୍ରମ୍ପ ଏପରି କରୁଥିବା ଚର୍ଚ୍ଚା ହେଉଛି।
ଟ୍ରମ୍ପ ଦୀର୍ଘ ଦିନ ହେଲା ନିଜ ସୁରକ୍ଷା ପାଇଁ ୟୁରୋପୀୟ ରାଷ୍ଟ୍ର ଗୁଡ଼ିକୁ ଅଧିକ ବ୍ୟୟ କରନ୍ତୁ ବୋଲି ଦାବି କରି ଆସୁଛନ୍ତି। ପ୍ରତିରକ୍ଷା ପାଇଁ ଆମେରିକା ଉପରେ ୟୁରୋପ କମ୍ ନିର୍ଭରଶୀଳ ହେବା ଉଚିତ ବୋଲି ସେ କହୁଛନ୍ତି। ଗତ ଜୁନରେ ପେଣ୍ଟାଗନ ୟୁରୋପରେ ଆମେରିକୀୟ ସୈନ୍ୟ, ସାମରିକ ଘାଟି ଓ ଅସ୍ତ୍ରଶସ୍ତ୍ର ମୁତୟନର ସମୀକ୍ଷା ଆରମ୍ଭ କରିଥିଲା। ଯଦି ଆମେରିକୀୟ ସୈନ୍ୟ ମୁତୟନ ହ୍ରାସ କରାଯାଏ, ତେବେ ୟୁରୋପର ସୁରକ୍ଷା ବ୍ୟୟ ବୃଦ୍ଧି ପାଇପାରେ। ଏହା ଦ୍ବାରା ଜର୍ମାନୀ, ଇଟାଲୀ ଓ ସ୍ପେନ ଭଳି ଦେଶ ସର୍ବାଧିକ ପ୍ରଭାବିତ ହେବେ। ଏବେ ଜର୍ମାନୀରେ ୩୬,୪୦୦ ଆମେରିକୀ
