ଆରଡି: ବାବା ଆଖଣ୍ଡଳମଣିଙ୍କ ପୀଠରେ ପୀଠଦେବୀ ମା ଜୟଦୁର୍ଗାଙ୍କ ଷୋଡ଼ଶ ଦିବସୀୟ ଶାରଦୀୟପୂଜା ଗତ ଶନିବାର ପବିତ୍ର ମୂଳାଷ୍ଟମୀ ଓ ଦେବୀ ଉତ୍ଥାନ ଦିବସ ଠାରୁ ଆରମ୍ଭ ହୋଇଛି। ଏହି ପୂଜା ଦଶହରା ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ଷୋଡ଼ଶ ଦିବସୀୟ ପୂଜା ପରିପ୍ରେକ୍ଷୀରେ ସ୍ବତନ୍ତ୍ର ନୀତି କାନ୍ତି ରେ ପ୍ରତ୍ୟେକ ଦିନ ପ୍ରାତଃ ସମୟରେ ମାଙ୍କ ପହଡ଼ ଖୋଲାଯାଇ ମଙ୍ଗଳ ଆଳତି ସମ୍ପନ୍ନ ହେବାପରେ ହଳଦୀ ପଞ୍ଚାମୃତ ମହାସ୍ନାନ କରାଯାଇ ବାଲ୍ୟଭୋଗ ଲାଗି କରାଯିବ। ପରେ ପୀଠାଧିପତି ବାବା ଆଖଣ୍ଡଳମଣିଙ୍କ ନିକଟରେ ଅଭିଷେକ କର୍ମ ସମ୍ପନ୍ନ କରାଯିବ। ପରେ କଳସ ଶୋଭା ଯାତ୍ରା କରାଯାଇ ଶିବଗଙ୍ଗା ପୁଷ୍କରିଣୀରେ ଘଟ ଉତ୍ତୋଳନ ହୋଇ ପୂଜା ମଣ୍ଡପରେ ସ୍ଥାପନ କରାଯାଇ ରୀତିନୀତି ଅନୁଯାୟୀ ପୂଜା ସହ ମାଙ୍କ ପୂଜାମଣ୍ଡପରେ ସପ୍ତସତୀ ଚଣ୍ଡୀପାଠ ଅପରାହ୍ନରେ ପ୍ରତିଦିନ ମାଙ୍କର ଦିବ୍ୟ ବେଶ ମାନରେ ଦର୍ଶନ ଦେବେ ମା। ପ୍ରତିଦିନ ପୂଜାଦିବସ ମାନଙ୍କରେ ମା ଭକ୍ତମାନଙ୍କୁ ଗୌରୀ, ଭୁବନେଶ୍ବରୀ, ଅନ୍ନପୂର୍ଣ୍ଣା, ମହାଲକ୍ଷ୍ମୀ, ମହାକାଳୀ, ମହା ସରସ୍ବତୀ ଜଗଦ୍ଧାତ୍ରୀ ,ଜୟ ଦୁର୍ଗା, ସିଂହ ବାହିନୀ ଆଦି ବେଶରେ ଦର୍ଶନ ଦେବେ। ପ୍ରତିଦିନ ସନ୍ଧ୍ୟାରେ ଷୋଡ଼ଶ ଉପଚାର ପୂଜା ଓ ଆହୂତି କର୍ମ ସମ୍ପନ୍ନ ହେବ। ରାତିରେ ଅନ୍ନପ୍ରସାଦ ଲାଗି କରାଯିବ। ଏହି ପରି ମା ଜୟ ଦୁର୍ଗାଙ୍କ ଷୋଡ଼ଶ ଦିନାତ୍ମକ ପୂଜା ମହାସମାରୋହରେ ସମସ୍ତ ଭକ୍ତ, ସେବାୟତ ଓ ମନ୍ଦିର ପ୍ରସାଶନର ସହଯୋଗରେ ସୁଚାରୁ ରୂପେ ସମ୍ପାଦନ କରାଯାଉଛି।