ମାଲକାନଗିରି: କେନ୍ଦୁପତ୍ର ତୋଳାଳି ଓ ସ୍ଥାନୀୟ ଗ୍ରାମବାସୀଙ୍କ ସ୍ୱାସ୍ଥ୍ୟ ସୁରକ୍ଷାକୁ ଗୁରୁତ୍ୱ ଦେଇ ମାଲକାନଗିରି କେନ୍ଦୁପତ୍ର ବନାଞ୍ଚଳ ଅଧୀନ ପଦ୍ମଗିରି ସେକ୍ସନ୍ର କୋନାଗୁଡ଼ା ଫଡ଼ିଠାରେ ବନ ବିଭାଗ ଓ ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗର ମିଳିତ ଆନୁକୂଲ୍ୟରେ ଏକ ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି।
ପାଣ୍ଡ୍ରିପାଣି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଡାକ୍ତର ଜୟସିଂ ନନ୍ଦଙ୍କ ନେତୃତ୍ୱରେ ଏଏନ୍ଏମ୍ ଉତ୍ପଳା କବି, ଫାର୍ମାସିଷ୍ଟ ବରୁଣ ମାଳୀ ଓ ଆଟେଣ୍ଡାଣ୍ଟ ଜଗା ସୋଡ଼ି ଶିବିରରେ ଉପସ୍ଥିତ ରହି ଲୋକଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ଓ ଚିକିତ୍ସା ପରାମର୍ଶ ପ୍ରଦାନ କରିଥିଲେ। ଶିବିରରେ ମୋଟ ୧୨୫ ଜଣ କେନ୍ଦୁପତ୍ର ତୋଳାଳି ଓ ସ୍ଥାନୀୟ ଗ୍ରାମବାସୀ ଚିକିତ୍ସା ସେବା ଗ୍ରହଣ କରିବା ସହ ଆବଶ୍ୟକ ଔଷଧ ମାଗଣାରେ ପାଇଥିଲେ।
ଏହି ଅବସରରେ ବନାଞ୍ଚଳ ଅଧିକାରୀ ସନ୍ଦୀପ କୁମାର ପାଣିଗ୍ରାହୀ, ଉପ ବନାଞ୍ଚଳ ଅଧିକାରୀ ରଜନୀକାନ୍ତ ଷଡ଼ଙ୍ଗୀ, ଫରେଷ୍ଟର ସୋମନାଥ ମୁଦୁଲି ଓ ଧୀରେନ ଶତପଥୀଙ୍କ ସମେତ ବନ ବିଭାଗର ଅନ୍ୟାନ୍ୟ କର୍ମଚାରୀ ଉପସ୍ଥିତ ରହି ଶିବିରର ଆୟୋଜନ ଓ ପରିଚାଳନାରେ ସହଯୋଗ କରିଥିଲେ। କେନ୍ଦୁପତ୍ର ତୋଳାଳିଙ୍କ ନିକଟରେ ସ୍ୱାସ୍ଥ୍ୟସେବା ପହଞ୍ଚାଇବା ଉଦ୍ଦେଶ୍ୟରେ ଏଭଳି ଶିବିର ଆୟୋଜନକୁ ସ୍ଥାନୀୟ ଲୋକେ ସ୍ୱାଗତ କରିଛନ୍ତି।
