ପୁରୀ-ଶକ୍ତି ପୀଠରେ ଆରମ୍ଭ ହୋଇଛି ଷୋଡଶ ଉପଚାର ପୂଜା । ଶ୍ରୀକ୍ଷେତ୍ରରେ ଅଷ୍ଟଚଣ୍ଡୀ ପୀଠ ସମେତ ଶକ୍ତି ପୀଠରେ ମାଙ୍କୁ ଭିନ୍ନ ଭିନ୍ନ ବେଶରେ ଦର୍ଶନ କରୁଛନ୍ତି ଭକ୍ତ । ଷୋଳଦିନରେ ମାଆଙ୍କ ଉଣେଇଶି ପ୍ରକାର ବେଶ ଦର୍ଶନ କରିବେ ଭକ୍ତ । ମନ୍ତ୍ର ପାଠ ଓ ଚଣ୍ଡୀପାଠରେ କମ୍ପୁଛି ମାଆଙ୍କ ମନ୍ଦିର । ବଡଶଙ୍ଖ କଲରା ହସପିଟାଲ ନିକଟ ବାଙ୍କିମୁହାଣ ମା ରାମଚଣ୍ଡୀଙ୍କ ମନ୍ଦିରରେ ଭକ୍ତମାନଙ୍କ ଭିଡ ଜମୁଛି । ମା’ଙ୍କ ମୁଖ୍ଯ ପୂଜକ ଭବାନି ଶଙ୍କର ପାଣି ସକାଳୁ ଦ୍ବାରଫିଟା ,ମଙ୍ଗଳଆଳତି,ଅବକାଶ, ସୂର୍ଯ୍ଯ ପୂଜା ପରେ ଅନ୍ଯାନ୍ଯ ନୀତିକାନ୍ତି କରୁଛନ୍ତି । ନିଖିଲି କୁମାର ଦାଶ, ସୁବ୍ରତ ରଞ୍ଜନ ଦାଶ, ମହେନ୍ଦ୍ର ମିଶ୍ର ପ୍ରମୁଖ ସେବକ ଭାବେ ମଧ୍ଯ ପୂଜାର୍ଚ୍ଚନା କରୁଛନ୍ତି । ଆଚାର୍ଯ୍ଯ ଭାବେ ପୁରୁଷୋତ୍ତମ ନନ୍ଦ ରହିଥିବା ବେଳେ ଚଣ୍ଡିପାଠ ଦେବଦତ୍ତ ମିଶ୍ର କରୁଛନ୍ତି । ନିଖିଳ କୁମାର ମହାପାତ୍ର, ଠାକୁର ପ୍ରସାଦ ସାହୁ ଓ ଦୁର୍ଗା ଜେଠୀ ପ୍ରମୁଖ ପୂଜାର୍ଚ୍ଚନାରେ ସହଯୋଗ କରୁଛନ୍ତି । ବିଶେଷକରି ଚୁଆ,ଚନ୍ଦନ, ଝୁଣାଧୂପ ଓ ସୁଗନ୍ଧିତ ପୁଷ୍ପ ବାସ୍ନାରେ ଭକ୍ତିମୟ ପରିବେଶ ସୃଷ୍ଟି ହେଉଛି । ମାଙ୍କ ପୀଠରେ ପାର୍ଶ ଦେବାଦେବୀ ଭାବେ କମଳା, ଭୈରବୀ, ଧୁମାବତୀ, ଛିନ୍ନମସ୍ତା, ବଗଳା, ସରସ୍ବତୀ, ମହାଲକ୍ଷ୍ମୀ , ଭୁବନେଶ୍ବରୀ, ଷୋଡଶୀ, ମାତଳୀ, ଉଗ୍ରତାର ଓ କାଳୀ ବିରାଜମାନ କରିଛନ୍ତି । ସେହିପରି ଶ୍ରୀବଳଭଦ୍ର, ଦେବୀ ମା ସୁଭଦ୍ରା, ଶ୍ରୀଜଗନ୍ନାଥ ଓ ଶ୍ରୀ ସୁଦର୍ଶନ ପୂଜା ପାଉଛନ୍ତି । ଏହାବ୍ଯତୀତ ପତିତପାବନ, ମହାଲକ୍ଷ୍ମୀ, ଗଙ୍ଗା, ଯମୁନା, ସିଂହମୁଖୀ, ବ୍ଯାଘ୍ରମୁଖୀ, ଛାୟା ମାୟା,ଶୋଡଶୀ ଆଦି ଦେବାଦେବୀଙ୍କ ନବଗ୍ରହ ପୂଜା ପାଊଛନ୍ତି । ମୂଳାଷ୍ଟମୀ ସହସ୍ର କୁମ୍ଭାଭିଷେକ ଠାରୁ ଆରମ୍ଭ ହୋଇଥିବା ପୂଜାରେ ମାଙ୍କ କୁମାରୀ ବେଶ,ବୈଷ୍ଣବୀ ବେଶ, ଭୁବନେଶ୍ୱରୀ ବେଶ, ଭୈରବୀ ବେଶ, କାତ୍ୟାୟନୀ ବେଶ, ଉଗ୍ରତାର ବେଶ,ନାରାୟଣୀ ବେଶ,ଚନ୍ଦନଲାଗି ବେଶ, ମାତାଙ୍ଗୀ ବେଶ, ସରସ୍ଵତୀ ବେଶ, ବଗଳାମୁଖୀ ବେଶ, ତ୍ରିପୁରାସୁନ୍ଦରୀ ବେଶ, ଅନ୍ନପୂର୍ଣ୍ଣା ବେଶ, ବନଦୁର୍ଗା ବେଶ, ହରଚଣ୍ଡୀ ଓ ସିଂହବାହିନୀ ବେଶ, ମହିଷମର୍ଦ୍ଦିନୀ ଓ କାଳରାତ୍ରୀ ବେଶ, ମହାସରସ୍ଵତୀ ବେଶ,ଦଶମୀ ପୂଜା, ଅଷ୍ଟଦଶଭୁଜା ମହାଲକ୍ଷ୍ମୀ ବେଶ ଦର୍ଶନ ପାଇଁ ଭକ୍ତଙ୍କ ଗହଳି ଲାଗିରହିଥାଏ । ମହାସପ୍ତମୀ, ମହାଅଷ୍ଟମୀ ଓ ମହାନବମୀ ମହା ସମାରୋହରେ ପାଳିତ ହୋଇଥାଏ । ତ୍ରୀଦିନାତ୍ମକ ପୂଜାରେ ଆମିଷ ଭୋଗ ଲାଗି ହୋଇଥାଏ । ଘଣ୍ଟ ଘଣ୍ଟା ଶଦ୍ଦ ସହ ହୁଳୁହୁଳିରେ କମ୍ପୁଛି ମାଙ୍କ ମନ୍ଦିର । ସକାଳ ଓ ସଂଧ୍ଯାରେ ଭକ୍ତଙ୍କ ଭିଡ ଲାଗିରହୁଛି । ମନ୍ଦିର ପରିଚଳନା କମିଟିର ସଭାପତି ଆଶିଷ କୁମାର ପ୍ରଧାନ, ସମ୍ପାଦକ ଜୟଦେବ ମହାପାତ୍ର, ମ୍ଯାନେଜମେଣ୍ଟ ନିଖିଳ କୁମାର ଦାଶଙ୍କ ସମେତ କମିଟିର ସଦସ୍ଯ ମାନଙ୍କ ସହଯୋଗରେ ମାଙ୍କ ସମସ୍ତ କାର୍ଯ୍ୟକ୍ରମ ସମ୍ପାଦନ ହେଉଛି । ମାଙ୍କ ବେଶ ଓ ଆଳତି ଦର୍ଶନ ପାଇଁ ସଂଧ୍ୟାରେ ଭକ୍ତଙ୍କ ଭିଡ ଦେଖିବାକୁ ମିଳୁଛି ।