ନାଗୋୟା: ଅଲିମ୍ପିକ୍ସ ଓ ବିଶ୍ବ ଚମ୍ପିଆନସିପ୍ ପଦକ ବିଜୟିନୀ ଭାରତୀୟ ମହିଳା ଭାରୋତ୍ତୋଳିକା ମୀରାବାଈ ଚାନୁ ଇତିହାସ ରଚିଛନ୍ତି। ମୀରାବାଈ ଏସୀୟ କ୍ରୀଡ଼ାରେ ପ୍ରଥମ ପଦକ ଜିତି କ୍ରୀଡ଼ା ଜୀବନରେ ଆଉ ଏକ ସଫଳତାର ଫର୍ଦ୍ଦ ଯୋଡ଼ିଛନ୍ତି। ଜାପାନର ଆଇଚି-ନୋଗୋୟାରେ ଚାଲିଥିବା ଏସୀୟ କ୍ରୀଡ଼ାର ବିଂଶତମ ସଂସ୍କରଣରେ ମୀରାବାଈ ରୌପ୍ୟ ପଦକ ଜିତିଛନ୍ତି। ଏଥି ସହିତ ମୀରାବାଈଙ୍କ ୨୮ ବର୍ଷ ପ୍ରତୀକ୍ଷାର ଅନ୍ତ ଘଟିଛି। ୩୨ ବର୍ଷୀୟା ମୀରାବାଈ ବୁଧବାର ମହିଳା ୪୯ କିଗ୍ରା ବର୍ଗରେ ମୋଟ୍ ୧୯୮ କିଗ୍ରା ଭାରୋତ୍ତୋଳନ କରି ଦ୍ବିତୀୟ ସ୍ଥାନ ହାସଲ କରିଥିଲେ। ସେ ସ୍ନାଚରେ ୮୭ କିଗ୍ରା ଓ କ୍ଲିନ ଆଣ୍ଡ ଜର୍କରେ ୧୧୧ କିଗ୍ରା ଭାରୋତ୍ତୋଳନ କରିଥିଲେ। ଏଥିରେ ଉତ୍ତର କୋରିଆର ରି ସଙ୍ଗ ଉନ୍ ରେକର୍ଡ ୨୧୦ କିଗ୍ରା ସ୍ନାଚରେ ୯୪ ଓ କ୍ଲିନ ଆଣ୍ଡ ଜର୍କରେ ୧୧୬ କିଗ୍ରା ଭାରୋତ୍ତୋଳନ କରି ପ୍ରଥମ ସ୍ଥାନ ସହ ସ୍ବର୍ଣ୍ଣ ଓ ଇଣ୍ଡୋନେସିଆର ଲୁଲୁକ୍ ଡାଏନା ତ୍ରି ୱିୟାନା (ସ୍ନାଚରେ ୮୮ ଓ କ୍ଲିନ ଆଣ୍ଡ ଜର୍କରେ ୧୦୩ କିଗ୍ରା) ସହ ମୋଟ ୧୯୧ କିଗ୍ରା ଭାରୋତ୍ତୋଳନ କରି ତୃତୀୟ ସ୍ଥାନ ସହ କାଂସ୍ୟ ପଦକ ଜିତିଛନ୍ତି। ମଣିପୁରର ମୀରାବାଈ ଦ୍ବିତୀୟ ଭାରତୀୟ ମହିଳା ଭାରୋତ୍ତୋଳିକା ଭାବେ ପ୍ରମୁଖ ଅନ୍ତର୍ଜାତୀୟ ପ୍ରତିଯୋଗିତା ଅଲିମ୍ପିକ୍ସ, ଏସୀୟ କ୍ରୀଡ଼ା, ରାଜ୍ୟଗୋଷ୍ଠୀ କ୍ରୀଡ଼ା ଓ ବିଶ୍ବ ଚମ୍ପିଆନସିପରେ ପଦକ ଜିତିଛନ୍ତି। ପୂର୍ବରୁ ଏହି ଉପଲବ୍ଧି କର୍ଣ୍ଣାମ ମାଲେଶ୍ବରୀ ହାସଲ କରିଥିଲେ। ମୀରାବାଈ ପୂର୍ବରୁ ୨୦୨୦ ଟୋକିଓ ଅଲିମ୍ପିକ୍ସରେ ରୌପ୍ୟ, ବିଶ୍ବ ଚମ୍ପିଆନସିପରେ ୨୦୧୭ରେ ସ୍ବର୍ଣ୍ଣ, ୨୦୨୨ ଓ ୨୦୨୫ରେ ରୌପ୍ୟ, ୨୦୨୦ ଏସୀୟ ଚମ୍ପିଆନସିପରେ କାଂସ୍ୟ, ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ୨୦୧୮, ୨୦୨୨, ୨୦୨୬ରେ ସ୍ବର୍ଣ୍ଣ ଓ ୨୦୧୪ରେ ରୌପ୍ୟ ପଦକ ଜିତିଥିଲେ।
