ନୂଆପଡ଼ା, ୦୬/୧୦: ନୂଆପଡ଼ା ଜିଲ୍ଲାରେ ଆଗ୍ରିଷ୍ଟାକ୍ (Agristack) ତଥ୍ୟର ସମ୍ପୂର୍ଣ୍ଣତା ହାସଲ କରିବା ସହ କୃଷକ ପଞ୍ଜୀକରଣକୁ ଅଧିକ ବ୍ୟାପକ ଓ ତ୍ୱରାନ୍ୱିତ କରିବା ଉଦ୍ଦେଶ୍ୟରେ ଜିଲ୍ଲାସ୍ତରୀୟ ଟାସ୍କ ଫୋର୍ସ (DLTF) କମିଟି ବୈଠକ ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ଅଧ୍ୟକ୍ଷତାରେ ମୁଖ୍ୟାଳୟ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛିl ବୈଠକରେ ଆଗ୍ରିଷ୍ଟାକ୍ ଅଧୀନରେ କୃଷକ ପଞ୍ଜିକରଣ ଓ Digital Crop Survey (DCS) କୁ ସମ୍ପୂର୍ଣ୍ଣ କରିବା ନେଇ ବିସ୍ତୃତ ଆଲୋଚନା ହୋଇଥିଲା। ଅଧିକରୁ ଅଧିକ ଯୋଗ୍ୟ କୃଷକଙ୍କୁ ଏହି ପଞ୍ଜୀକରଣ ପ୍ରକ୍ରିୟାରେ ସାମିଲ କରିବା ପାଇଁ କ୍ଷେତ୍ରସ୍ତରରେ ସମନ୍ୱିତ ପଦକ୍ଷେପ ନେବାକୁ ଜିଲ୍ଲାପାଳ ଗୁରୁତ୍ୱାରୋପ କରିଥିଲେ। ବିଶେଷକରି ଗ୍ରାମସ୍ତରରେ କାର୍ଯ୍ୟରତ କୃଷି ମିତ୍ରମାନଙ୍କୁ ସକ୍ରିୟ ଭାବେ ନିୟୋଜିତ କରି କୃଷକ ପଞ୍ଜୀକରଣର ପରିସର ବୃଦ୍ଧି କରିବା ପାଇଁ ଜିଲ୍ଲାପାଳ ଶ୍ରୀ ଦାଶ ନିର୍ଦ୍ଦେଶ ଦେଇଥିଲେ।
ବୈଠକରେ ବିଭିନ୍ନ ବିଭାଗ ମଧ୍ୟରେ ଉତ୍ତମ ସମନ୍ୱୟ ରଖି ତଥ୍ୟ ସଂଗ୍ରହ ଓ ପଞ୍ଜୀକରଣ ପ୍ରକ୍ରିୟାକୁ ଗତିଶୀଳ କରିବା, କ୍ଷେତ୍ରସ୍ତରରେ ସଚେତନତା ବୃଦ୍ଧି କରିବା ଏବଂ ଆଗ୍ରିଷ୍ଟାକ୍ ଆଧାରିତ କୃଷିସେବାର ସୁଫଳ ଯୋଗ୍ୟ କୃଷକଙ୍କ ନିକଟରେ ପହଞ୍ଚାଇବା ସମ୍ପର୍କରେ ଆଲୋଚନା ହୋଇଥିଲା।
ବୈଠକରେ ଡିଏଫ୍ଓ (ପ୍ରାନ୍ତୀୟ) ଅଜିଜ୍ ଖାନ୍, ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ ପ୍ରଣତିରାଣୀ ପ୍ରଧାନଙ୍କ ସମେତ ବିଭିନ୍ନ ବିଭାଗର ଜିଲ୍ଲାସ୍ତରୀୟ ଅଧିକାରୀ ଓ ସମ୍ପୃକ୍ତ ଅଧିକାରୀମାନେ ଯୋଗଦେଇଥିଲେ।
