ନୂଆଦିଲ୍ଲୀ: କଂଗ୍ରେସ ସାଂସଦ ତଥା ଲୋକସଭା ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଲୋକଙ୍କ ସହ ଯୋଡ଼ି ହେବା ପାଇଁ ନୂଆ ପଦକ୍ଷେପ ନେଇଛନ୍ତି। ସେ ମହାତ୍ମା ଗାନ୍ଧୀଙ୍କ ଜୟନ୍ତୀର ଦିନକ ପରେ ଶନିବାର ‘ସତ୍ୟାଗ୍ରହ’ ଆରମ୍ଭ କରିଛନ୍ତି। ଏହି ସତ୍ୟାଗ୍ରହ କୌଣସି ପ୍ରତ୍ୟକ୍ଷ ଆନ୍ଦୋଳନ ନୁହେଁ। ଏହା ଏକ ଡିଜିଟାଲ ପ୍ଲାଟଫର୍ମ ତଥା ୱେବସାଇଟ। ସାରା ଦେଶରେ ହେଉଥିବା ସମସ୍ୟା ଭିତ୍ତିକ ବିକ୍ଷୋଭ ପ୍ରଦର୍ଶନର ସୂଚନା ସଂଗ୍ରହ କରିବାକୁ ଏହା ମାଧ୍ୟମରେ ଲକ୍ଷ୍ୟ ରଖାଯାଇଛି। ବିକ୍ଷୋଭକାରୀଙ୍କୁ ନିଜ ସମସ୍ୟାର ବିସ୍ତୃତ ବିବରଣୀ ଏହି ଡିଜିଟାଲ ପ୍ଲାଟଫର୍ମ ମାଧ୍ୟମରେ ଦେବାକୁ ରାହୁଲ ଆହ୍ବାନ ଦେଇଛନ୍ତି। ସାରା ଦେଶର ବିକ୍ଷୋଭକାରୀଙ୍କୁ ଗୋଟିଏ ପ୍ଲାଟଫର୍ମରେ ଏକାଠି କରିବା ପାଇଁ ରାହୁଲ ଏହି ପଦକ୍ଷେପ ନେଇଛନ୍ତି। ସେ ସାମାଜିକ ଗଣମାଧ୍ୟମରେ ଏକ ଭିଡିଓ ଜାରି କରି ଅନ୍ୟାୟ ଓ ନିଜ ହକ ପାଇଁ ଲଢୁଥିବା ଲୋକଙ୍କୁ ଏହି ପ୍ଲାଟଫର୍ମ ମାଧ୍ୟମରେ ଯୋଡ଼ିହେବାକୁ ନିବେଦନ କରିଛନ୍ତି। ଲୋକେ ପଠାଇଥିବା ପ୍ରସଙ୍ଗକୁ ସେ ସଂସଦରେ ଉଠାଇବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି।