ବାଲେଶ୍ବର: ଜିଲା ପୁଲିସ ଓ ପ୍ରଶାସନ ପକ୍ଷରୁ ଗାନ୍ଧୀ ସ୍ମୃତି ଭବନରେ ଆସନ୍ତା ଦୁର୍ଗାପୂଜା, ରାବଣପୋଡ଼ି ଓ ଭସାଣି ଉତ୍ସବ ପାଇଁ ପ୍ରସ୍ତୁତି ଓ ଶାନ୍ତି କମିଟି ବୈଠକ ଅନୁଷ୍ଠିତ ହୋଇଛି। ଏଥିରେ ଜିଲାପାଳ ସୂର୍ଯ୍ୟବଂଶୀ ମୟୂର ବିକାସ ଅଧ୍ୟକ୍ଷତା କରିଥିବା ବେଳେ ଉପଜିଲାପାଳ ଶିବ ମାଲବ୍ୟ, ଅତିରିକ୍ତ ଜିଲାପାଳ ହେମନ୍ତ କୁମାର ସିଂ, ଏସପି ପ୍ରତ୍ୟୁଷ ଦିୱାକର, ଅତିରିକ୍ତ ଏସପି ଦେବଜ୍ୟୋତି ଦାସ, ପରେଶ କୁମାର ରାଉତ, ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ, ସଦର ବିଧାୟକ ମାନସ କୁମାର ଦତ୍ତ, ସରକାରୀ ଦଳ ଉପମୁଖ୍ୟ ସଚେତକ ଗୋବିନ୍ଦ ଚନ୍ଦ୍ର ଦାସ, ପୌରାଧ୍ୟକ୍ଷା ସବିତା ସାହୁ ମଞ୍ଚାସୀନ ଥିଲେ।ଏହା ସହିତ ସମସ୍ତ ଦୁର୍ଗା ପୂଜା କମିଟିର କର୍ମକର୍ତ୍ତା, ଆଖଡ଼ା ସଂଘର କର୍ମକର୍ତ୍ତା, ଶାନ୍ତି କମିଟି ସଦସ୍ୟ ଯୋଗ ଦେଇଥିଲେ। ଆସନ୍ତା ଦୁର୍ଗାପୂଜା, ରାବଣ ପୋଡ଼ି ଓ ଭସାଣି ଉତ୍ସବକୁ କିପରି ଶାନ୍ତି ଶୃଙ୍ଖଳାର ସହିତ କରାଯାଇପାରିବ ସେନେଇ ଏଥିରେ ପ୍ରଶାସନ ଓ ପୂଜା କମିଟି କର୍ମକର୍ତ୍ତାଙ୍କ ମଧ୍ୟରେ ଆଲୋଚନା ହୋଇଥିଲା।ପୂଜା ପାଖେଇ ଆସୁଥିବା ବେଳେ ରାସ୍ତା ମରାମତି, ଶୃଙ୍ଖଳିତ ଓ ସମୟ ଅନୁସାରେ କିପରି ଭସାଣି ଶୋଭାଯାତ୍ରା ହେବ ସେନେଇ ଗୁରୁତ୍ବାରୋପ କରାଯାଇଥିଲା। ପାର୍ବଣ ବେଳେ ଉଚ୍ଚ କ୍ଷମତା ସମ୍ପନ୍ନ ଭାଇବ୍ରେଟର, ଡିଜେ, ଲେଜର ଓ ସାର୍ପିଂ ଲାଇଟ୍ ବ୍ୟବହାର ଏବଂ ସର୍ବସାଧାରଣରେ ଅସ୍ତ୍ରଶସ୍ତ୍ର ପ୍ରଦର୍ଶନ ଉପରେ ବାରଣ କରାଯାଇଛି। ଭସାଣି ଦିନ ସହରରେ ଭିଡ଼ ନିୟନ୍ତ୍ରଣ ପାଇଁ ବସ ଗୁଡ଼ିକ ଅପରାହ୍ଣ ୩ଟାରୁ ରେମୁଣା ଗୋଲେଇ ଦେଇ ବସଷ୍ଟାଣ୍ଡକୁ ଯିବାକୁ କୁହାଯାଇଛି।
