ବୈପାରିଗୁଡା: ବାର୍ଦ୍ଧକ୍ୟ ଭତ୍ତା ଟଙ୍କା ମିଳୁନଥିବାରୁ ବୈପାରିଗୁଡା ବ୍ଲକର ୨୦ଟି ପଞ୍ଚାୟତର ଶତାଧିକ ହିତାଧିକାରୀ ଓ ଲୋକ ପ୍ରତିନିଧି ମାନେ ବିଡିଓ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଛନ୍ତି। ଦୀର୍ଘ ୫ ମାସ ଧରି ଭତ୍ତା ଟଙ୍କା ନପାଇ ହିତାଧିକାରୀ ମାନେ ହନ୍ତସନ୍ତ ହେଉଥିବା ବେଳେ ପ୍ରଶାସନର ନିରବତାକୁ ନେଇ ଅସନ୍ତୋଷ ତୀବ୍ର ହୋଇଛି। ହିତାଧିକାରୀ ମାନଙ୍କ କହିବାନୁଯାୟୀ ଭତ୍ତା ଟଙ୍କା ମିଳିବା ଆଶାରେ ସେମାନେ ବାରମ୍ବାର ବ୍ୟାଙ୍କକୁ ଯାଇ ନିରାଶ ହୋଇ ଫେରୁଛନ୍ତି। ୫ ମାସ ଧରି ଟଙ୍କା ନମିଳିବାରୁ ଦୈନନ୍ଦିନ ଖର୍ଚ୍ଚ ତୁଲାଇବା ପାଇଁ ରଖିଥିବା ସଞ୍ଚୟ ଟଙ୍କା ମଧ୍ୟ ଶେଷ ହୋଇ ଯାଇଥିବା ସେମାନେ କହିଛନ୍ତି। ବୟସର ଅପରାହ୍ନରେ ସରକାରୀ ଭତ୍ତା ଉପରେ ନିର୍ଭର କରୁଥିବା ଏହି ହିତାଧିକାରୀମାନେ ଏବେ ଆର୍ଥିକ ଦୁର୍ଦ୍ଦଶାରେ ଦିନ କାଟୁଥିବା କହିଛନ୍ତି। ଧାରଣାରେ ହିତାଧିକାରୀଙ୍କ ସହ ବ୍ଲକ ଉପାଧ୍ୟକ୍ଷା ପୂର୍ଣ୍ଣମା ବାରିକ, ପୂର୍ବତନ ବ୍ଲକ ଅଧ୍ୟକ୍ଷା ସରୋଜିନୀ କାଣ୍ଡିକି, ମାଠପଡ଼ା ସରପଞ୍ଚ ଗଙ୍ଗାଧର ମସିହା, ସମିତିସଭ୍ୟ ଲକ୍ଷ୍ମଣ ମାଠପଡ଼ିଆ, ଚିପାକୁର ଚେଣ୍ଡିଆ ଖିଲ, ସମିତିସଭ୍ୟା ବିମଳା ଖିଲ,
ପୂର୍ବତନ ସରପଞ୍ଚ ଭାଗିରଥି ମୂର୍ଜିଆ, ବୈପାରିଗୁଡା ନାଏବ ସରପଞ୍ଚ ସୁଶାନ୍ତ ସାହୁ, ବିଜେଡି କର୍ମୀ ବିଶ୍ୱଜିତ ନାୟକ, ବ୍ଲକ ଯୁବ ସଭାପତି ବାପି ଜଗଦେବ, ସଦା ମଲ୍ଲିକ, ସନ୍ତୋଷ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ। ଧାରଣାରତ ହିତାଧିକାରୀ ଙ୍କ ସମସ୍ୟା ବୁଝିବା ପାଇଁ ବିଡିଓ କିମ୍ବା କୌଣସି ପ୍ରଶାସନିକ ଅଧିକାରୀ ଘଟଣାସ୍ଥଳରେ ନପହଞ୍ଚିବାରୁ ଧାରଣାରତ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଆହୁରି ବଢ଼ିଛି। ତେବେ ବିଡିଓ କୌଣସି ଏକ କାମରେ ତେନ୍ତୁଳିଗୁମ୍ମା ଯାଇଥିବାର ଜଣାପଡିଛି ! ବିଡିଓ ନ ଆସିବା ପର୍ଯ୍ଯନ୍ତ ହିତାଧିକାରୀ ଧାରଣସ୍ଥଳ ରୁ ଉଠିବୁନାହିଁ ବୋଲି ସିଧାସଳଖ କହିବା ସହ ଦୀର୍ଘ ୪ ଟା ପର୍ଯ୍ଯନ୍ତ ବିଡିଓଙ୍କୁ ଅପେକ୍ଷା କରି ଶେଷରେ ହିତାଧିକାରୀ ନିଜ ନିଜ ଘରକୁ ଯାଇଥିବାର ଜଣାପଡିଛି ! ସକାଳ ୧୦ ଟା ରୁ ଅପରାହ୍ନ ୪ ଟା ପର୍ଯ୍ଯନ୍ତ ହିତାଧିକାରୀ ବିଡିଓଙ୍କ ଅଫିସ ଆଗରେ ଧାରଣା ଦେଇ ବସିଥିଲେ ! ଜୀବନର ଏହି ବୟସରେ ଭତ୍ତା ପାଇଁ ବ୍ୟାଙ୍କକୁ ବାରମ୍ବାର ଦୌଡ଼ିବାକୁ ପଡ଼ୁଥିବାରୁ ହିତାଧିକାରୀମାନେ କ୍ଷୋଭ ପ୍ରକାଶ କରିଛନ୍ତି। ତୁରନ୍ତ ବକେୟା ଭତ୍ତା ଟଙ୍କା ପ୍ରଦାନ କରିବା ସହ ଆଗାମୀ ଦିନରେ ଏଭଳି ସମସ୍ୟା ଯେପରି ନହୁଏ, ସେଥିପାଇଁ ପ୍ରଶାସନ ଠୋସ୍ ପଦକ୍ଷେପ ନେବାକୁ ହିତାଧିକାରୀ ମାନେ ଦାବି କରିଛନ୍ତି।