ମୋହନା: ଗଜପତି ଜିଲ୍ଲା ଅଡ଼ବା ଥାନା ଅନ୍ତର୍ଗତ ଅନ୍ତରବା ହାଇସ୍କୁଲ ଛକରେ ଘଟିଛ ମର୍ମନ୍ତୁଦ ସଡକ ଦୁର୍ଘଟଣା। ଦ୍ରୁତଗତିରେ ଆସୁଥିବା ଏକ ପିକଅପ୍ ଭ୍ୟାନ ରାସ୍ତାକଡ଼ରେ ଠିଆ ହୋଇଥିବା, ବାଇକରେ ଗନ୍ତବ୍ୟ ସ୍ଥଳକୁ ଯାଉଥିବା ଓ ଘରକୁ ଫେରୁଥିବା ଲୋକଙ୍କୁ ଧକ୍କା ଦେବାରୁ ଏକାଧିକ ଲୋକ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରେ ଜଣେ ୫ ବର୍ଷର ଶିଶୁ ମଧ୍ୟ ରହିଛି। ସୂଚନା ମୁତାବକ, ଚୁଡ଼ଙ୍ଗପୁର ଗାଁରୁ ସାପ୍ତାହିକ ହାଟରେ ଲୁଗା ସାମଗ୍ରୀ ବିକ୍ରିକରି ଅପରାହ୍ନରେ ଛେଳିଗଡ଼ ଗାଁ ଅଞ୍ଚଳକୁ ଫେରୁଥିବା ଏକ ପିକଅପ୍ ଭ୍ୟାନ (ଓଡ଼ି୦୨ବିଏକ୍ସ୨୪୨୩) ଦ୍ରୁତଗତିରେ ଆସୁଥିଲା। ଅନ୍ତରବା ଗ୍ରାମ ନିକଟ ହାଇସ୍କୁଲ ଛକ ନିକଟରେ ଗାଡ଼ିଟି ନିୟନ୍ତ୍ରଣ ହରାଇ ଦୁର୍ଘଟଣା ଘଟାଇଥିଲ। । ଦୁର୍ଘଟଣା ପରେ ସ୍ଥାନୀୟ ଲୋକେ ଓ ପୁଲିସ ଆହତ ମାନଙ୍କୁ ୧୧୨ ଓ ୧୦୮ ଯୋଗେ ମୋହନା ଓ ଚ଼ନ୍ଦ୍ରଗିରି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଭର୍ତ୍ତି କରିଥିଲେ। ସ୍ୱାସ୍ଥ୍ୟ କେନ୍ଦ୍ରରେ ସମସ୍ତ ଗୁରୁତର ଓ ଆହତ ମାନଙ୍କ ପ୍ରାଥମିକ ଚିକିତ୍ସା କରାଯିବା ପରେ ଗୁରୁତର ଥିବା ଗୁଲୁବା ପଞ୍ଚାୟତ ଅଧିନ ଶୁଣ୍ଡିପଦା ଗାଁର ରମେଶ ନାୟକ(୩୮), ଅନ୍ତରବା ଗାଁର ୫ ବର୍ଷର ଶିଶୁ ଗୋପାଳ ବେହେରା , ଗୁଲୁବା ପଞ୍ଚାୟତ ବମପଦା ଗାଁର ପ୍ରଭାକର ଯାନୀଙ୍କୁ ଗୁରୁତର ଅବସ୍ଥାରେ ବ୍ରହ୍ମପୁର ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିବା ବେଳେ ଅନ୍ତରବା ଓଡ଼ିଆ ସାହିର ଲବ ବେହେରା(୪୬) ଏବଂ ଅବନୀ ସାହୁ(୫୫) ଆହତ ହୋଇ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସିତ ହେଉଛନ୍ତି । ଦୁର୍ଘଟଣା ଘଟାଇବା ପରେ ଭ୍ୟାନ ଚାଳକ କେଉଁଆଡ଼େ ଫେରାର ହୋଇଯାଇଛି। ଘଟଣା ସ୍ଥଳରେ ଅଡ଼ବା ଥାନା ଏସଆଇ ପ୍ରିତମ ଦାସ ଓ କର୍ମଚାରୀ ପହଞ୍ଚି ପିକଅପ ଭ୍ୟାନ ଓ ବାଇକକୁ ଜବତ କରିବା ସହ ଦୁର୍ଘଟଣାର କାରଣ ଓ ଗାଡ଼ି ଚାଳକଙ୍କ ସମ୍ପର୍କରେ ତଦନ୍ତ ଆରମ୍ଭ କରିଛି।
