ଓଡ଼ିଶାରୁ ପଶ୍ଚିମବଙ୍ଗକୁ ଖୁଲମଖୁଲା ଭାବେ ଚାଲିଛି ବାଲି ଚାଲାଣ। ସକାଳୁ ସକାଳୁ ଗୋଟିଏ ପରେ ଗୋଟିଏ ବାଲି ବୋଝେଇ ହାଇୱା ଉଦୟପୁର ସୀମା ଦେଇ ପଶ୍ଚିମବଙ୍ଗ ଅଭିମୁଖେ ଯାଉଥିବା ଅଭିଯୋଗ ହୋଇଛି।
ସବୁଠାରୁ ବଡ଼ କଥା ହେଉଛି, ଓଡ଼ିଶା-ପଶ୍ଚିମବଙ୍ଗ ସୀମାରେ ପୁଲିସର କ୍ୟାମ୍ପ ଥିବା ସତ୍ତ୍ୱେ ଏଭଳି ବାଲି ବୋଝେଇ ଗାଡ଼ିଗୁଡ଼ିକ କେମିତି ଖୁଲମଖୁଲା ଭାବେ ସୀମା ଅତିକ୍ରମ କରୁଛନ୍ତି, ତାକୁ ନେଇ ଉଠିଛି ବଡ଼ ପ୍ରଶ୍ନ।
ବାଲି ଚାଲାଣକୁ ରୋକିବା ପାଇଁ ସ୍ଥାନୀୟ କିଛି ଯୁବକ ରାସ୍ତାକୁ ଆସି ଗାଡ଼ିଗୁଡ଼ିକୁ ଅଟକାଇବାକୁ ଚେଷ୍ଟା କରିଥିବା ଦେଖାଯାଇଛି। ଜୀବନକୁ ବାଜି ଲଗାଇ ଯୁବକମାନେ ହାଇୱାଗୁଡ଼ିକୁ ଅଟକାଇବାକୁ ଉଦ୍ୟମ କରୁଥିବା ବେଳେ ଅନ୍ୟପଟେ ବାଲି ବୋଝେଇ ଗାଡ଼ିଗୁଡ଼ିକ ଦ୍ରୁତ ଗତିରେ ସୀମା ଅତିକ୍ରମ କରୁଥିବା ଅଭିଯୋଗ ହୋଇଛି।
ଏହାରି ଭିତରେ ପ୍ରଶ୍ନ ଉଠୁଛି—ସୀମାରେ ପୁଲିସ କ୍ୟାମ୍ପ ଥାଇ ମଧ୍ୟ ଗୋଟିଏ ପରେ ଗୋଟିଏ ହାଇୱା କେମିତି ସୀମା ଡେଇଁ ପଶ୍ଚିମବଙ୍ଗ ପଳାଉଛି? କାହା ସାହସରେ ଚାଲିଛି ଏହି ବେଆଇନ ବାଲି ଚାଲାଣ? ଏହି ଚାଲାଣ ପଛରେ କାହାର ସୁରକ୍ଷା ରହିଛି କି?
ସୀମାରେ ଦାୟିତ୍ୱରେ ଥିବା ସମ୍ପୃକ୍ତ ପ୍ରଶାସନ ଏହା ଜାଣିପାରୁନାହାନ୍ତି ନା ଜାଣି ମଧ୍ୟ ନିରବ ରହୁଛନ୍ତି—ତାହା ଏବେ ତଦନ୍ତସାପେକ୍ଷ। ତୁରନ୍ତ ବାଲି ଚାଲାଣ ବନ୍ଦ କରିବା ସହ ଏହି ଚାଲାଣ ପଛରେ ଥିବା ଲୋକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି ଜୋର ଧରିଛି।