ବାଲିପାଟଣା: ଜଣେ ଅବସରପ୍ରାପ୍ତ ଶିକ୍ଷକଙ୍କଠୁ ଲାଂଚ ନେଇ ଭିଜିଲାନ୍ସ ହାତରେ ଧରା ପଡ଼ିଛନ୍ତି ବାଲିପାଟଣା ବ୍ଲକ ଅଧୀନରେ କାର୍ଯ୍ୟରତ ଏକ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶେଖ ରିୟାଜ ଅଲ୍ଲୀ । ତାଙ୍କଠାରୁ ଲାଂଚ ବାବଦରେ ଦିଆଯାଇଥିବା ୧୫,୦୦୦ ଟଙ୍କାକୁ ମଧ୍ୟ ଭିଜିଲାନ୍ସ ଜବତ କରିଛି । ମିଳିଥିବା ଖବର ଅନୁଯାୟୀ ଏହି ବିଦ୍ୟାଳୟରେ କାର୍ଯ୍ୟରତ ଜଣେ ପୂର୍ବତନ ପ୍ରଧାନ ଶିକ୍ଷକଙ୍କର ମଧ୍ୟାହ୍ନ ଭୋଜନ ବାବଦ ପ୍ରାପ୍ୟ ସ୍କୁଲ ଉପରେ ବକେୟା ରହି ଯାଇଥିଲା । ଏ ବାବଦୀୟ ଚେକ୍ ପ୍ରଦାନ କରିବାକୁ ବର୍ତ୍ତମାନର ପ୍ରଧାନ ଶିକ୍ଷକ ରିୟାଜ ଅଲ୍ଲୀ ୧୫,୦୦୦ ଟଙ୍କା ଉତ୍କୋଚ ଦାବି କରିଥିଲେ । ଏ ନେଇ ପୂର୍ବତନ ପ୍ରଧାନ ଶିକ୍ଷକ ଭିଜିଲାନ୍ସର ଦ୍ୱାରସ୍ଥ ହୋଇଥିଲେ । ଯୋଜନା ମୁତାବକ ସୋମବାର ସମ୍ପୃକ୍ତ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଜଣକ ରିୟାଜ ଅଲ୍ଲୀଙ୍କୁ ତାଙ୍କ ଦାବି ମୁତାବକ ୧୫ ହଜାର ଟଙ୍କା ଦେଉଥିବା ବେଳେ ଭିଜିଲାନ୍ସ ତାଙ୍କୁ କାବୁ କରିନେଇଥିଲା । ଏ ନେଇ ଭିଜିଲାନ୍ସ ପକ୍ଷରୁ ଦୁର୍ନୀତି ନିବାରଣ ଆଇନରେ ଏକ ମାମଲା ରୁଜୁ କରାଯିବ ସହ ଅଲ୍ଲୀଙ୍କ ସମ୍ପୃକ୍ତି ଥିବା ବିଭିନ୍ନ ସ୍ଥାନ ଉପରେ ଚଢଉ ଜାରି ରଖିଛି ।