ମୋହନା: ସ୍ଥାନୀୟ ଅବକାରୀ ଥାନା ପକ୍ଷରୁ ଆଜି ଅଡ଼ବା- ନୂଆଁଗଡ଼ ସୀମାନ୍ତବର୍ତ୍ତୀ ଥାନା ଅନ୍ତର୍ଗତ ଅନୁଗୁରୁ ଓ ସୁନ୍ଦରଡାଙ୍ଗ ଗ୍ରାମାଞ୍ଚଳରୁ ଦେଶୀ ରନ୍ଧା ମହୁଲି ମଦ ଜବତ କରାଯାଇଛି । ବିଶେଷ ସୂତ୍ରରୁ ଖବର ପାଇ ମୋହନା ଅବକାରୀ ଥାନା ଏସଆଇ ଦଣ୍ଡ ଶବରଙ୍କ ନେତୃତ୍ୱରେ କର୍ମଚାରୀ ସ୍ଥାନୀୟ ଅଞ୍ଚଳରେ ପେଟ୍ରୋଲିଙ୍ଗ କରୁଥିବା ବେଳେ ଜଙ୍ଗଲ ରାସ୍ତା ପାର ହୋଇ ଅଡ଼ବା ଥାନା ଅନ୍ତର୍ଗତ ଚୁଡ଼ଙ୍ଗପୁର ଓ ଅନ୍ତରବା ଗ୍ରାମ ଅଭିମୁଖେ ବିକ୍ରୀ ଉଦ୍ଦେଶ୍ୟରେ ପ୍ଲାଷ୍ଟିକ ଜାରକିନରେ ମହୁଲି ମଦ ଧରି ୪ ଜଣ ବ୍ୟକ୍ତି ଆସୁଥିଲେ । ମୋହନା ଅବକାରୀ ଥାନା ଅଧିକାରୀ ଓ କର୍ମଚାରୀ ସେମାନଙ୍କୁ ସନ୍ଦେହରେ ଅଟକାଇ ଯାଞ୍ଚ କରିଥିଲେ । ସେମାନଙ୍କ ଠାରୁ ୨୮୦ ଲିଟର ଦେଶୀ ରନ୍ଧା ମହୁଲି ମଦ ଓ ବ୍ୟବହୃତ ୩ଟି ବାଇକ ଜବତ କରାଯାଇଛି । ଅଭିଯୁକ୍ତମାନେ ହେଲେ ନୂଆଗଡ଼ ଥାନା ଅନ୍ତର୍ଗତ ଅନୁଗୁରୁ ଗ୍ରାମର ଯୀଶରୀୟ ଲିମା (୩୭), ଲାଜାର ପାଣି (୪୦), ପ୍ରମୋଦ କରାଡ଼(୨୬) ଓ ସୁନ୍ଦରଡ଼ାଙ୍ଗ ଗ୍ରାମର ଇସମାଇଲ ଲିମା (୫୬) । ସମସ୍ତଙ୍କୁ ଆଜି ଅଦାଲତ ପଠାଇ ଦିଆଯାଇଥିବା ଅବକାରୀ ଥାନା ପକ୍ଷରୁ ସୂଚନା ଦିଆଯାଇଛି ।