ପୁରୀ: ପୁରୀ କ୍ଳବ ପରିସରରେ ଆୟୋଜିତ ହେବ ଓଡ଼ିଶା ରାଜ୍ୟ ସବ୍-ଜୁନିୟର ଅଣ୍ଡର-୧୪ ଓପନ୍ ଓ ବାଳିକା ଚେସ୍ ଚାମ୍ପିଅନସିପ୍-୨୦୨୬। ପୁରୀ କ୍ଳବ ପକ୍ଷରୁ ଅଲ୍ ଓଡ଼ିଶା ଚେସ୍ ଆସୋସିଏସନ୍ ଓ ଅଲ୍ ଇଣ୍ଡିଆ ଚେସ୍ ଫେଡେରେସନ୍ ସହଯୋଗରେ ସେପ୍ଟେମ୍ବର ୧୭ରୁ ୨୦ ତାରିଖ ଯାଏଁ ଏହି ରାଜ୍ୟସ୍ତରୀୟ ପ୍ରତିଯୋଗିତା ଅନୁଷ୍ଠିତ ହେବ। ରାଜ୍ୟର ବିଭିନ୍ନ ଜିଲ୍ଲାରୁ ପ୍ରାୟ ୧୭୦ ଜଣ ଯୁବ ଚେସ୍ ପ୍ରତିଭା ଏଥିରେ ସାମିଲ ହେବା ଆଶା କରାଯାଉଛି। ଓପନ୍ ଓ ବାଳିକା ବିଭାଗର ଶ୍ରେଷ୍ଠ ୪ ଜଣ ଲେଖାଏଁ ଖେଳାଳି ଆଗାମୀ ଜାତୀୟ ସବ୍-ଜୁନିୟର ଚେସ୍ ଚାମ୍ପିଅନସିପ୍ ପାଇଁ ଓଡ଼ିଶାରୁ ଯୋଗ୍ୟତା ହାସଲ କରିବେ।
ପ୍ରତିଯୋଗିତାରେ ମୋଟ ୩୦ ହଜାର ଟଙ୍କାର ନଗଦ ପୁରସ୍କାର ସହ ୪୪ଟି ଟ୍ରଫି ପ୍ରଦାନ କରାଯିବ। ଓପନ୍ ଓ ବାଳିକା ବିଭାଗର ଶ୍ରେଷ୍ଠ ୧୦ ଜଣ ଲେଖାଏଁ ଖେଳାଳିଙ୍କୁ ନଗଦ ପୁରସ୍କାର ଓ ଟ୍ରଫି ଦିଆଯିବ। ଏହାସହ ଅଣ୍ଡର-୭, ୯, ୧୧ ଓ ୧୩ ବର୍ଷ ବୟସ ବର୍ଗରେ ଶ୍ରେଷ୍ଠ ୩ ଜଣ ଲେଖାଏଁ ଖେଳାଳିଙ୍କୁ ଟ୍ରଫି ପ୍ରଦାନ କରାଯିବ। ସେହିପରି ପୁରୀ କ୍ଳବକୁ ପ୍ରତିନିଧିତ୍ୱ କରୁଥିବା ଓପନ୍ ଓ ବାଳିକା ବିଭାଗର ଶ୍ରେଷ୍ଠ ୨ ଜଣ ଖେଳାଳିଙ୍କୁ ମଧ୍ୟ ସ୍ୱତନ୍ତ୍ର ଟ୍ରଫି ପ୍ରଦାନ କରାଯିବ। ସେପ୍ଟେମ୍ବର ୧୭ ତାରିଖ ପୂର୍ବାହ୍ନ ୯ଟା ୩୦ରେ ଉଦଘାଟନୀ ସମାରୋହ ଅନୁଷ୍ଠିତ ହେବ। ପ୍ରତିଦିନ ପୂର୍ବାହ୍ନ ୯ଟା ୩୦ ଓ ଅପରାହ୍ନ ୨ଟା ୩୦ରେ ଦୁଇଟି ଲେଖାଏଁ ରାଉଣ୍ଡ ଖେଳାଯିବ। ସେପ୍ଟେମ୍ବର ୨୦ ତାରିଖ ଅପରାହ୍ନ ୪ଟାରେ ପୁରସ୍କାର ବିତରଣ ସମାରୋହ ହେବ। ଏହି ରାଜ୍ୟସ୍ତରୀୟ ଚେସ୍ ପ୍ରତିଯୋଗିତା ଓଡ଼ିଶାର ଉଦୀୟମାନ ଚେସ୍ ପ୍ରତିଭାଙ୍କୁ ନିଜ ଦକ୍ଷତା ପ୍ରଦର୍ଶନ ସହ ଜାତୀୟ ସ୍ତରରେ ରାଜ୍ୟକୁ ପ୍ରତିନିଧିତ୍ୱ କରିବାର ସୁଯୋଗ ଦେବ।ରିପୋର୍ଟର ଡ଼ଃ ମନୋଜ କୁମାର ବଳିଆରସିଂ,ପୁରୀ।