ପୁରୀ,୯/୧୦-ଶଙ୍ଖକ୍ଷେତ୍ରରେ ବିରାଜମାନ କରିଛନ୍ତି ମା ବିଶେଶ୍ଵରୀ ଠାକୁରାଣୀ । ନରେନ୍ଦ୍ର ପୁଷ୍କରଣୀ ନିକଟ ଉତର ପଶ୍ଚିମ କୋଣରେ ମା’ଙ୍କ ମନ୍ଦିର ଅବସ୍ଥିତ । ଚୁଡଙ୍ଗ ସାହିର ଠାକୁରାଣୀ ଭାବେ ପୂଜା କରିଥାନ୍ତି । ରାଜା ଚୋଡ଼ଗଙ୍ଗ ଦେବଙ୍କ ସମୟରେ ମା’ଙ୍କ ମନ୍ଦିର ପ୍ରତିଷ୍ଠା ହୋଇଥିବା କଥିତ ଅଛି । ମା’ କଳାମୁଗୁନି ପଥରରେ ନିର୍ମିତ ଓ ମା ଚତୁର୍ଭୁଜା । ମାଙ୍କ ଚାରିହାତରେ ଖଡ୍ଗ, ମାଳିକା, ଖପୁରୀ ଓ ଅଭୟବର ପ୍ରଦାୟନୀ ଭାବେ ଦଣ୍ଡାୟମାନ । ନବକଳେବର ସମୟରେ ଦଇତାପତି ମାନେ ଯିବା ସମୟରେ ମାଙ୍କ ନିକଟରେ ଶ୍ରୋତ୍ରୀୟ ବ୍ରାହ୍ମଣ ମାନେ ଚଣ୍ଡୀପାଠ କରନ୍ତି । କୋଇଲି ବୈକୁଣ୍ଠରେ ବିଗ୍ରହ ନିର୍ମାଣ ସମୟରେ ମଧ୍ଯ ଶ୍ରୋତ୍ରୀୟ ବ୍ରାହ୍ମଣଙ୍କ ଦ୍ବାରା ଚଣ୍ଡୀପାଠ କରାଯାଏ । ମାଙ୍କ ଚୈତ୍ର ମାସ ଚାରି ମଙ୍ଗଳବାର ଓ ଆଶ୍ବିନ ମାସରେ ଷୋଳ ପୂଜା ସମୟରେ ବିଧିବିଧାନ ସହ ପୂଜାର୍ଚ୍ଚନା କରାଯାଏ । ଶ୍ରୀମନ୍ଦିର ଓ ମା ବିମଳାଙ୍କ ସହ ମା ବିଶେଶ୍ଵରୀଙ୍କ ସହ ସିଧାସଳଖ ସମ୍ପର୍କ ରହିଛି । ମାଆ ଦକ୍ଷିଣମୁଖା ହୋଇ ନୀଳଚକ୍ର କୁ ଚାହିଁ ରହିଛନ୍ତି । ପ୍ରତିଦିନ ଶ୍ରୀମନ୍ଦିର ରୁ ସରପୁଳି ଆସି ମାଙ୍କ ନିକଟରେ ସମର୍ପଣ କରାଯାଉଛି । ତନ୍ତ୍ର ମନ୍ତ୍ର ଓ ଯନ୍ତ୍ର ବିଧିରେ ମାଙ୍କୁ ପୂଜାର୍ଚ୍ଚନା କରାଯାଉଛି । ଧୂପଦୀପ ଝୁଣା ଓ ସୁଗନ୍ଧିତ ପୁଷ୍ପରେ ମହକୁଛି ମା’ଙ୍କ ମନ୍ଦିର । ମାଙ୍କ ନିକଟରେ ଛାୟା ମାୟା ପୂଜା ପାଉଥିବା ବେଳେ ମନ୍ଦିର ଚାରିପଟେ କାଳୀ, ତାରା ଓ ବାରାହୀ ପୂଜା ପାଉଛନ୍ତି । ନବଗ୍ରହଙ୍କ ସମେତ ମହାଦଶବିଦ୍ଯା ଠାକୁରାଣୀଙ୍କୁ ପୂଜାର୍ଚ୍ଚନା କରାଯାଉଛି । ଘଣ୍ଟ ଘଣ୍ଟା ସହ ଚଣ୍ଡୀପାଠରେ କମ୍ପୁଛି ମା’ଙ୍କ ମନ୍ଦିର । ଗଜପତିଙ୍କ ଦ୍ବାରା ବରଣ ହୋଇଥିବା ଶ୍ରୋତ୍ରୀୟ ବ୍ରାହ୍ମଣ ପ୍ରକାଶ ଚନ୍ଦ୍ର ମିଶ୍ର ମାଙ୍କ ନିକଟରେ ଷୋଳ ଦିନ ପୂଜାରେ ଚଣ୍ଡୀପାଠ କରୁଛନ୍ତି । ମାଙ୍କ ମନ୍ଦିରରେ ମୁଖ୍ଯ ପୂଜକ ଗଣେଶ ଚନ୍ଦ୍ର ଦାଶ ପ୍ରତିଦିନ ଦୈନନ୍ଦିନ ନୀତିକାନ୍ତି ସହ ପୂଜାର୍ଚ୍ଚନା କରୁଛନ୍ତି । ପ୍ରକାଶ ଚନ୍ଦ୍ର ମହାପାତ୍ର ପୂଜାର୍ଚ୍ଚନାରେ ସହଯୋଗ କରୁଛନ୍ତି । ବଡୁ ମହାପାତ୍ର ଯାଗା କମିଟିର ସମ୍ପାଦକ ରାକେଶ କୁମାର ପାତ୍ର ମନ୍ଦିରର ନୀତିକାନ୍ତି ଓ ପର୍ବ ପର୍ବାଣୀ ସମସ୍ତ କାର୍ଯ୍ୟକ୍ରମ ପରିଚାଳନା କରୁଛନ୍ତି । ମାଙ୍କ ଷୋଳ ଦିନ ପୂଜାରେ ଶଙ୍ଖୁଡି ଭୋଗ ହେଉଥିବା ବେଳେ ସପ୍ତମୀ ଅଷ୍ଟମୀ ଓ ନବମୀରେ ଆମିଷ ଭୋଗ କରାଯାଇଥାଏ । ମା ପଣା ପ୍ରିୟ । ହାଡଗଡିଆ ସାହି, ଦାଣ୍ଡିମାଳ ସାହି, ଚୁଡଙ୍ଗ ସାହି ସମେତ ଆଖପାଖ ସାହିର ଭକ୍ତ ,ଶ୍ରଦ୍ଧାଳୁଙ୍କ ସକାଳ ଓ ସଂଧ୍ଯାରେ ଭିଡ ଲାଗିରହିଥାଏ । ମା’ଙ୍କୁ ଯିଏ ଯେତେବେଳେ ଆପଦ ବିପଦରେ ଡାକିଛି ମା ତାର ଗୁହାରି ଶୁଣିଛନ୍ତି । ମା’ଙ୍କୁ ଦର୍ଶନ କଲେ ମାନସିକ ପୂରଣ ହୋଇଥାଏ ବୋଲି ବିଶ୍ୱାସ ରହିଛି ।