ଭୁବନେଶ୍ୱର, ୦୯/୧୦/୨୦୨୬: କେନ୍ଦ୍ର ସରକାର ପାରିତ କରିଥିବା MMDR ସଂଶୋଧନ ବିଧେୟକ, ୨୦୨୬ ବିରୋଧରେ ଓଡ଼ିଶା ସ୍ୱାଭିମାନ ମଞ୍ଚ ପକ୍ଷରୁ ଦିଲ୍ଲୀ ଚାଲୋର ଡାକରା ଦିଆଯାଇଛି। ଆଜି ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ମଞ୍ଚର ଆବାହକ ଶ୍ରୀ ସୁଧାଂଶୁ ପାତ୍ର ଏହି ସୂଚନା ଦେଇଛନ୍ତି।

ସେ କହିଛନ୍ତି ଯେ, ନିକଟରେ ସଂସଦରେ ପାରିତ ହୋଇଥିବା ଏହି ବିଧେୟକ ଦ୍ୱାରା ଓଡ଼ିଶା ତତ୍‌କ୍ଷଣାତ ୧ ଲକ୍ଷ କୋଟି ଟଙ୍କାର କ୍ଷତି ସହିବ ଏବଂ ବାର୍ଷିକ ୧୫ ହଜାର କୋଟି ଟଙ୍କାର ରାଜସ୍ୱ କ୍ଷତି ସହିବ, ଯାହା ରାଜ୍ୟର ବିକାଶ ପାଇଁ ବଡ ବାଧକ ହେବ।

ଏହାକୁ ପ୍ରତିବାଦ କରି ମଞ୍ଚ ଯେଉଁ ଦିଲ୍ଲୀ ଚାଲୋ ଅଭିଯାନର ଡାକରା ଦେଇଛି, ତାହାକୁ ବିଜେଡି ସୁପ୍ରିମୋ ତଥା ବିରୋଧୀ ଦଳ ନେତା ଶ୍ରୀ ନବୀନ ପଟ୍ଟନାୟକ ଓ ଅନ୍ୟ ସମସ୍ତ ଦଳର ନେତୃତ୍ୱ ସମର୍ଥନ କରିବା ପାଇଁ ମଞ୍ଚର ପ୍ରମୁଖ ମୁଖପାତ୍ର ଶ୍ରୀ ପ୍ରମୋଦ ସାମନ୍ତରାୟ ଆହ୍ୱାନ ଦେଇଛନ୍ତି।

ଦିଲ୍ଲୀ ଚାଲୋ କାର୍ଯ୍ୟକ୍ରମକୁ ଶୃଙ୍ଖଳିତ ଓ ଫଳପ୍ରଦ କରିବା ପାଇଁ ମଞ୍ଚର ଛାୟା ଖଣି ଓ ଇସ୍ପାତ ମନ୍ତ୍ରୀ ଡ. ପଲ୍ଲବ କୁମାର ଲିମା ସମସ୍ତ ରାଜନୈତିକ ଦଳ ଓ ସାମାଜିକ ସଂଗଠନକୁ ସାମିଲ କରିବା ପାଇଁ ଆନୁଷ୍ଠାନିକ ଭାବେ ଏକ ପ୍ରତିନିଧି ଦଳର ଦାୟିତ୍ୱ ନେବେ। ଏହି କମିଟି ଆସନ୍ତା ୨୫ ତାରିଖ ମଧ୍ୟରେ ଚୂଡାନ୍ତ ରିପୋର୍ଟ ଦେବ। ଏହି ଆଧାରରେ ଓଡ଼ିଶା ସ୍ୱାଭିମାନ ମଞ୍ଚ ସମସ୍ତଙ୍କ ସହଯୋଗରେ ରାଜ୍ୟର ସ୍ୱରକୁ ଶାଣିତ କରିବା ପାଇଁ ରୋଡ୍‌ମ୍ୟାପ୍ ପ୍ରସ୍ତୁତ କରିଛି।

ଦିଲ୍ଲୀ ଚାଲୋ କାର୍ଯ୍ୟକ୍ରମର ମୂଳଦୁଆ ଆସନ୍ତା ଅକ୍ଟୋବର ୧୬ ତାରିଖରେ ପଡିବ, ଯାହା ଦୁଇଟି ପର୍ଯ୍ୟାୟରେ ଅନୁଷ୍ଠିତ ହେବ। ପ୍ରଥମ ପର୍ଯ୍ୟାୟରେ ଓଡ଼ିଶା ସ୍ୱାଭିମାନ ମଞ୍ଚ ପକ୍ଷରୁ ଆୟୋଜିତ “ଓଡ଼ିଶା ନିର୍ମାଣରେ ସାରଥୀ ସମ୍ମାନ” ଅବସରରେ ନବୀନ ବାବୁଙ୍କ ଦୃଢ ନେତୃତ୍ୱରେ ରାଜ୍ୟ କିଭଳି ଏକ ମଡେଲ ରାଜ୍ୟ ହୋଇପାରିଛି ତାହା ଉପରେ ମତ ବିନିମୟ ହେବ। ଏକ ଆଞ୍ଚଳିକ ଦଳର ନେତୃତ୍ୱ ଭାବେ ନବୀନ ବାବୁ ଯେଉଁ କାମ କରିଛନ୍ତି, ତାହା ବିଜେପି ସରକାର କରିପାରିନାହିଁ ବୋଲି ଆଲୋଚନା ହେବ।

ଦ୍ୱିତୀୟ ପର୍ଯ୍ୟାୟରେ MMDR Act ସଂଶୋଧନକୁ ନେଇ ରାଜ୍ୟର ସମସ୍ତ ରାଜନୈତିକ ଦଳର ପ୍ରତିନିଧି, ସାମାଜିକ କର୍ମୀ, ସାମ୍ବାଦିକ ଓ ବୁଦ୍ଧିଜୀବୀମାନେ ମତ ରଖିବେ ବୋଲି ମଞ୍ଚର ଛାୟା ଗଣଶିକ୍ଷା ମନ୍ତ୍ରୀ ଶ୍ରୀ ଅନିଲ ମିଶ୍ର ସ୍ପଷ୍ଟ କରିଥିଲେ। ଶେଷରେ ମଞ୍ଚର ଗଣମାଧ୍ୟମ ସଂଯୋଜକ ଶ୍ରୀ ହୃଷିକେଶ ତ୍ରିପାଠୀ ଧନ୍ୟବାଦ ଅର୍ପଣ କରିଥିଲେ।