ଖଇରା: ପାରଳାଖେମୁଣ୍ଡିର ବହୁଚର୍ଚ୍ଚିତ ଏସିଏଫ ସୌମ୍ୟରଂଜନ ମହାପାତ୍ରଙ୍କ ରହସ୍ୟଜନକ ମୃତ୍ୟୁ ମାମଲାରେ ମଙ୍ଗଳବାର ତତ୍କାଳୀନ ରେଷେୟା ମନ୍ମଥ କୁମ୍ଭଙ୍କୁ ପୁଲିସ ଗିରଫ କରିଛି । ମନ୍ମଥଙ୍କ ବିରୁଦ୍ଧରେ ପୂର୍ବରୁ ଜାମିନ ବିହୀନ ଗିରଫ ପରୱାନା ଜାରି କରାଯାଇଥିଲା । ସୌମ୍ୟରଂଜନଙ୍କ ମୃତ୍ୟୁ ପରେ ତାଙ୍କ ବାପା ଅଭିରାମ ମାହାପାତ୍ର ଦାଏର କରିଥିବା ମାମଲାରେ ତତ୍କାଳୀନ ରୋଷେୟା ମନ୍ମଥ କୁମ୍ଭ ଅନ୍ୟତମ ଅଭିଯୁକ୍ତ ଥିଲେ । ଏହି ଅଭିଯୋଗ ଫର୍ଦ୍ଦରେ ଥିବା ଅନ୍ୟ ଦୁଇଜଣ ହେଲେ ସୌମ୍ୟରଂଜନଙ୍କ ପତ୍ନୀ ବିଦ୍ୟାଭାରତୀ ପଣ୍ଡା ଓ ତତ୍କାଳୀନ ଡିଏଫଓ ସଂଗ୍ରାମ କେଶରୀ ବେହେରା । ଡିଏଫଓ ଶ୍ରୀ ବେହେରା ନିକଟରେ କୋର୍ଟରେ ଆତ୍ମସମର୍ପଣ କରିବା ପରେ ତାଙ୍କୁ ଗିରଫ କରାଯାଇ ଜେଲ୍ ପଠାଇ ଦିଆଯାଇଛି । ଅନ୍ୟପକ୍ଷରେ ବିଦ୍ୟାଭାରତୀଙ୍କୁ ହାଇକୋର୍ଟ ଆତ୍ମସମର୍ପଣ ପାଇଁ କିଛିଦିନର ମହଲତ ଦେଇଥିବାରୁ ତାଙ୍କ ତତ୍କାଳ ଗିରଫଦାରୀ କିଛିଦିନ ପାଇଁ ଟଳିଯାଇଛି ।
