ମୁମ୍ବାଇ : ଥରେ ନୁହଁ କି ଦୁଇଥର ନୁହଁ, ୪ ଥର ବିକ୍ରି ହୋଇଯାଇଛି ମାତ୍ର ମାସେ ହେବ ଦୁନିଆର ଆଲୋକ ଦେଖିଥିବା ଏକ ନିଷ୍ପାପ ଶିଶୁପୁତ୍ର । ପ୍ରଥମ ବିକ୍ରେତା ପୁଣି ତା ନିଜ ମା’ ବାପ! ଗୋଟିଏ ହାତରୁ ଆଉ ଗୋଟିଏ ହାତ ପଣ୍ୟଦ୍ରବ୍ୟ ପରି ବିକ୍ରି ହୋଇ ହୋଇ ମୁମ୍ବାଇରୁ ସେ ପହଂଚି ଯାଇଥିଲା ୫୦୦ କିମି ଦୂର ହାଇଦ୍ରାବାଦରେ । ତେବେ ପୁଲିସର ତ୍ୱରିତ କାର୍ଯ୍ୟାନୁଷ୍ଠାନ ଯୋଗୁ ଶିଶୁଟି ୫ମ ଥର ବିକ୍ରି ହେବାରୁ ବର୍ତି ଯାଇଛି । ଘଟଣାରେ ସମ୍ପୃକ୍ତ ଛୁଆଟିର ପିତାମାତାଙ୍କ ସମେତ ୭ ଜଣଙ୍କୁ ଗିରଫ କରାଯାଇ ଜେଲ୍ ପଠାଇ ଦିଆଯାଇଛି ।
ଆସନ୍ତୁ ନଜର ପକାଇବା ସଂପୂର୍ଣ୍ଣ ଘଟଣାକ୍ରମ ଉପରେ । ମହାରାଷ୍ଟ୍ର ଛତ୍ରପତୀ ସମ୍ଭାଜୀ ନଗର ଅଂଚଳରେ ଲିଭ୍ ଇନ୍ ରିଲେସନରେ ରହୁଥିବା ଏକ ଦମ୍ପତିଙ୍କର ଗତ ୧ ମାସ ତଳେ ଏକ ଶିଶୁପୁତ୍ର ଜନ୍ମ ହୋଇଥିଲା । ତେବେ ଏହି ବାପା ମା ଛୁଆଟିକୁ ସୀମା ରେସୱାଲ ନାମ୍ନୀ ଜଣେ ଦଲାଲଙ୍କୁ ୧.୨ ଲକ୍ଷ ଟଙ୍କାରେ ବିକ୍ରି କରିଦେଲେ । ଅଭାବରେ ପଡ଼ି ବାପ ମା ନିଜ ଛୁଆ ବିକିବାର ନଜିର ଅନେକ ଅଛି । ତେବେ ଏ ବାପା ମା ଅଭାବରେ ପଡି ନୁହେଁ, ବରଂ ଦାମୀ ମୋବାଇଲ ଓ ଏକ ସୁନାହାର କିଣିବାକୁ ନିଜ ଜନ୍ମକଲା ଛୁଆଟାକୁ ଦଲାଲ ହାତରେ ଟେକିଦେଲେ । ଦଲାଲ ସୀମା ଉକ୍ତ ନବଯାତ ଶିଶୁପୁତ୍ରକୁ ପାଡେଗାଁ ଅଂଚଳର ସଙ୍ଗୀତା ଅଭଦ ନାମ୍ନୀ ଆଉ ଜଣେ ମହିଳାଙ୍କୁ ୨.୭ ଲକ୍ଷ ଟଙ୍କାରେ ବିକିଦେଲେ । ନିଷ୍ଠୁର ସଙ୍ଗୀତାଙ୍କ ମାତୃ ହୃଦୟବି କାନ୍ଦିଲାନି ଏ ନିଷ୍ପାପ ଛୁଆଟିକୁ ଦେଖି । ସେ ବି ପାଲଟିଗଲା ଆଉ ଏକ ଜହ୍ଲାଦ । ଛୁଆଟିକୁ ନିଜର ଜଣେ ଚିହ୍ନା ଜାଲ୍ ଡାକ୍ତର ସୁରେଶ ଗୁଂଟୁକାକୁ ୩.୫ ଲକ୍ଷରେ ବିକିଦେଲା । ଜାଲି ଡାକ୍ତର ସୁରେଶ ମନରେ ବି ଟିକେ ଦୟାମାୟା ଜାତ ହେଲାନି । ସେ ଶିଶୁଟିକୁ ହାଇଦ୍ରାବାଦରେ ରହୁଥିବା ନିଜର ଜଣେ ସମ୍ପର୍କୀୟା ଉମା ଖଟକମ୍‌କୁ ସେହି କିଣା ଦାମରେ, ଅର୍ଥାତ ୩.୫ ଲକ୍ଷ ଟଙ୍କାରେ ବିକିଦେଲା । ତେବେ ଶିଶୁପୁତ୍ର ବିକ୍ରି ଖବର କୌଣସି ସୂତ୍ରରୁ ପୁଲିସ ପାଖରେ ପହଂଚିବା ପରେ ପୁଣ୍ଡଲିକ୍ ନଗର ଥାନା ଇନ୍‌ସପେକ୍ଟର ବିବେକ ସୋନାୱାନେ ଛୁଆଟିର ବାପା ମା’ଙ୍କୁ ଧରି ଜେରା କରିଥିଲେ । ବାପା ମା ସବୁ ସତ ଓଗାଳିବା ପରେ ପୁଲିସ ସମ୍ପୂର୍ଣ୍ଣ ର‌୍ୟାକେଟକୁ ଠାବ କରିପାରିଲା । ହାଇଦ୍ରାବାଦରୁ ଶିଶୁଟିକୁ ଉଦ୍ଧାର କରାଯାଇ ଏବେ ଶିଶୁମଙ୍ଗଳ ଗୃହରେ ରଖାଯାଇଥିବା ବେଳେ ଘଟଣାରେ ସମ୍ପୃକ୍ତ ବାପା ମାଙ୍କ ସମେତ ୭ ଜଣଙ୍କୁ ଗିରଫ କରି ଜେଲ ପଠାଇଛି । ଘଟଣାରେ ଆଉ କିଏ ସବୁ ସମ୍ପୃକ୍ତ ତାହାର ତଦନ୍ତ ଚାଲିଛି ।