ପାଟଣା:କେନ୍ଦୁଝର ଜିଲ୍ଲା ଘଟଗାଁ ଥାନା ଅନ୍ତର୍ଗତ ଖୁଦପୁଟୁଳି ଗାଁରେ ଘରେ ପଶି ଡକାୟତି ଉଦ୍ୟମ ସମୟରେ ଗୁଳିକାଣ୍ଡ ଘଟଣାରେ ପୁଲିସକୁ ବଡ଼ ସଫଳତା ମିଳିଛି। ଘଟଣାରେ ସମ୍ପୃକ୍ତ ୪ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିବା ନେଇ ପୁଲିସ ପକ୍ଷରୁ ସୂଚନା ମିଳିଛି। ପୁଲିସର ସୂଚନା ଅନୁସାରେ, ୨ ଅଗଷ୍ଟ ୨୦୨୬ ରାତିରେ ଖୁଦପୁଟୁଳି ଗାଁର ଏକ ଘରେ କିଛି ଦୁବୃର୍ତ୍ତ ଡକାୟତି ଉଦ୍ଦେଶ୍ୟରେ ପ୍ରବେଶ କରିଥିଲେ। ଘର ମାଲିକ ଜତୀନ୍ଦ୍ର ମହାନ୍ତ ସେମାନଙ୍କ ଉପସ୍ଥିତି ଜାଣି ପ୍ରତିରୋଧ କରିବାରୁ ଜଣେ ଦୁର୍ବୃତ୍ତ ଗୁଳି ଚଳାଇଥିଲା। ଗୁଳିମାଡ଼ରେ ଜତୀନ୍ଦ୍ର ଗୁରୁତର ଆହତ ହୋଇଥିଲେ। ତାଙ୍କୁ ପ୍ରଥମେ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କୁ ନିଆଯାଇଥିଲା। ପରେ ଅଧିକ ଚିକିତ୍ସା ପାଇଁ କଟକସ୍ଥିତ ଏସ୍ସିବି ମେଡିକାଲ କଲେଜ ଓ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ୫ ଅଗଷ୍ଟରେ ତାଙ୍କର ମୃତ୍ୟୁ ଘଟିଥିଲା। ଘଟଣା ସମ୍ପର୍କରେ ଘଟଗାଁ ଥାନାରେ କେସ୍ ନମ୍ବର ୪୦୮/୨୦୨୬, ତାରିଖ ୦୩.୦୮.୨୦୨୬ରେ ବିଏନ୍ଏସ୍ ଧାରା ୩୩୧(୮)/୩୧୦(୩) ସହ ୨୫/୨୭ ଆର୍ମ୍ସ ଆକ୍ଟରେ ମାମଲା ରୁଜୁ ହୋଇଥିଲା।
କେନ୍ଦୁଝର ଏସ୍ପିଙ୍କ ନିର୍ଦ୍ଦେଶରେ ଘଟଣାର ତଦନ୍ତ ପାଇଁ ୯ଟି ତଦନ୍ତକାରୀ ଟିମ୍ ଗଠନ କରାଯାଇଥିଲା। ପୁଲିସ ଟିମ୍ ଚାଇବାସା, ରାଞ୍ଚି, ଜାମସେଦପୁର ଏବଂ ଝାଡ଼ଖଣ୍ଡର ମଝଗାଁ ଅଞ୍ଚଳରେ ଅପରାଧୀଙ୍କ ପୂର୍ବ ଅପରାଧିକ ରେକର୍ଡ ଓ ଗତିବିଧି ସମ୍ପର୍କରେ ତଥ୍ୟ ସଂଗ୍ରହ କରିଥିଲା। ତଦନ୍ତରେ ଅଗ୍ରଗତି କରି ଏପର୍ଯ୍ୟନ୍ତ ୪ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ଏହି ଘଟଣାରେ ଆହୁରି କିଛି ବ୍ୟକ୍ତିଙ୍କ ସମ୍ପୃକ୍ତି ଥିବା ତଦନ୍ତରୁ ଜଣାପଡ଼ିଥିବା ପୁଲିସ କହିଛି। ଅନ୍ୟ ସମସ୍ତ ସମ୍ପୃକ୍ତ ଅପରାଧୀ ଙ୍କୁ ଗିରଫ କରିବା ପାଇଁ ତଦନ୍ତ ଜାରି ରହିଛି।
