ନୂଆଦିଲ୍ଲୀ : ଭାରତୀୟ ସଂଚାର ନିୟାମକ ପ୍ରାଧିକରଣ (ଟ୍ରାଇ) ଦେଶର ଟେଲିକମ୍ ଗ୍ରାହକମାନଙ୍କ ସୁରକ୍ଷା ଓ ସୁବିଧା ପାଇଁ ଏକ ନୂଆ ନିୟମ ଜାରି କରିଛନ୍ତି। ଏହି ନିୟମ ଅନୁଯାୟୀ ସମସ୍ତ ଟେଲିକମ୍ କମ୍ପାନୀଙ୍କୁ କେବଳ ଭଏସ୍ କଲ୍ ଓ ଏସ୍‌ଏମ୍‌ଏସ୍‌ ଥିବା ରିଚାର୍ଜ ଭାଉଚର୍ ଆଣିବା ବାଧ୍ୟତାମୂଳକ କରାଯାଇଛି। ଫଳରେ ଡାଟା ପ୍ୟାକ୍ ଆବଶ୍ୟକ କରୁ ନଥିବା ଜଣେ ଗ୍ରାହକ ଅଳ୍ପ ମୂଲ୍ୟରେ ମୋବାଇଲ ରିଚାର୍ଜ କରିପାରିବେ। ପୂର୍ବରୁ ଭଏସ୍ କଲ୍ ଓ ଏସ୍ଏମଏସ୍ ସହିତ ଡାଟା ପ୍ୟାକ୍‌ଗୁଡିକ ମିଶ୍ରଣ କରି ବଜାରକୁ ଛଡାଯାଉଥିଲା। ଫଳରେ ବରିଷ୍ଠ ନାଗରିକ, ସାଧାରଣ ଫିଚର ଫୋନ୍ ବ୍ୟବହାରକାରୀ ଓ ଗ୍ରାମାଞ୍ଚଳର ଲୋକମାନେ ଇଣ୍ଟରନେଟ୍/ଡାଟା ବ୍ୟବହାର କରୁ ନଥିଲେ ମଧ୍ୟ ଅଧିକ ମୂଲ୍ୟର ଏହି ଡାଟା ରିଚାର୍ଜ ଭାଉଚରକୁ ଆପଣାଇବାକୁ ବାଧ୍ୟ ହେଉଥିଲେ। ଏବେ କେବଳ ଭଏସ୍ କଲ୍‌ ଓ ଏସ୍‌ଏମ୍ଏସ୍ ସୁବିଧା ଥିବା ଭାଉଚରକୁ ସେମାନେ କମ୍ ମୂଲ୍ୟରେ କିଣିପାରିବେ। ଏହା ସହିତ ପୂର୍ବରୁ ପ୍ରତ୍ୟେକ ରିଚାର୍ଜର ଅବଧି ୨୮ଦିନ ରହୁଥିବାବେଳେ ଏବେ ପ୍ରତ୍ୟେକ ରିଚାର୍ଜ ଭାଉଚରର ଅବଧି ୩୦ ଦିନ ରଖିବା ବାଧ୍ୟତାମୂଳକ। ଟ୍ରାଇ ନୂଆ ନିୟମ ସମ୍ପର୍କରେ ବିଜ୍ଞପ୍ତି ଜାରି କରିଛି। ତେଣୁ ଅକ୍ଟୋବର ଶେଷ ସପ୍ତାହରୁ ଟେଲିକମ୍ କମ୍ପାନୀଗୁଡିକ ଏହି ନୂଆ ପ୍ରକାର ରିଚାର୍ଜ ସୁବିଧାକୁ ଗ୍ରାହକଙ୍କ ନିମନ୍ତେ ବଜାରକୁ ଛାଡିବେ।
ଜାରି ନିର୍ଦେଶ ଅନୁଯାୟୀ ଟେଲିକମ୍ କମ୍ପାନୀଗୁଡ଼ିକୁ ଅତିକମରେ ଗୋଟିଏ ୩୬୫ ଦିନ (୧ ବର୍ଷ)ର ବୈଧତା ଥିବା କେବଳ ଭଏସ୍ ଏବଂ ଏସ୍ଏମ୍ଏସ୍‌ ପ୍ଲାନ୍ ରଖିବେ। ଯାହାଦ୍ୱାରା ବାରମ୍ବାର ରିଚାର୍ଜ କରିବାର ସମସ୍ୟାରୁ ଗ୍ରାହକଙ୍କୁ ମୁକ୍ତି ମିଳିବ। ସେହିପରି ଯେଉଁ ଗ୍ରାହକମାନେ କେବଳ ସେମାନଙ୍କ ମୋବାଇଲର ସେକେଣ୍ଡାରୀ (ଦ୍ବିତୀୟ) ସିମ୍ ସକ୍ରିୟ ରଖିବାକୁ ଚାହୁଁଛନ୍ତି, ସେମାନଙ୍କୁ ଅନାବଶ୍ୟକ ଭାବେ ଡାଟା ପ୍ୟାକ୍ ପାଇଁ ଅଧିକ ଟଙ୍କା ଗଣିବାକୁ ପଡ଼ିବ ନାହିଁ। ଟେଲିକମ୍ ଅପରେଟରମାନଙ୍କୁ ସେମାନଙ୍କ ୱେବସାଇଟ୍, ଆପ୍ ଓ ରିଚାର୍ଜ ଆଉଟଲେଟ୍‌ଗୁଡ଼ିକରେ ଏହି ସ୍ବତନ୍ତ୍ର ଭଏଏସ୍‌ ଭାଉଚର ସମ୍ପର୍କରେ ସ୍ପଷ୍ଟ ସୂଚନା ଦେବାକୁ କୁହାଯାଇଛି। ଟ୍ରାଇ ପକ୍ଷରୁ ‘ଟେଲିକମ୍ କନ୍‌ଜୁମର୍ ପ୍ରୋଟେକ୍ସନ୍ (୧୩ଶ ସଂଶୋଧନ) ନିୟମାବଳୀ, ୨୦୨୬’ ସମ୍ପର୍କରେ ବିଜ୍ଞପ୍ତି ଜାରି କରାଯାଇଛି। ପୂର୍ବରୁ ଅଧିକାଂଶ ମାସିକିଆ ପ୍ଲାନ୍ ୨୮ ଦିନ ପାଇଁ ରହୁଥିବାରୁ ଗ୍ରାହକଙ୍କୁ ବର୍ଷକୁ ୧୨ ମାସ ବଦଳରେ ୧୩ ଥର ରିଚାର୍ଜ କରିବାକୁ ପଡ଼ୁଥିଲା। ନୂଆ ନିୟମ ଅନୁଯାୟୀ କମ୍ପାନୀଗୁଡ଼ିକୁ ୩୦ ଦିନିଆ ବୈଧତା ଥିବା ପ୍ଲାନ୍ ଆଣିବାକୁ କୁହାଯାଇଛି।