ବଡ଼ଚଣା : ଜଣେ ଠିକାଦାରଙ୍କଠାରୁ ୩୫,୦୦୦ ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରା ପଡିଛନ୍ତି ଯାଜପୁର ଜିଲା ବଡ଼ଚଣା ବ୍ଲକ ସହକାରୀ ଯନ୍ତ୍ରୀ ବନ୍ଦିତା ଦାଶ । ତାଙ୍କଠାରୁ ଲାଞ୍ଚ ବାବଦରେ ସେ ନେଇଥିବା ନଗଦ ଟଙ୍କା ଜବତ କରାଯାଇଥିବା ବେଳେ ତାଙ୍କ ବ୍ୟକ୍ତିଗତ ସହାୟକଙ୍କୁ ମଧ୍ୟ ଭିଜିଲାନ୍ସ ଅଟକ ରଖିଛି ।
ମିଳିଥିବା ସୂଚନା ମୁତାବକ ଜନୈକ ଠିକାଦାର ଏହି ବ୍ଲକ ଅଧୀନରେ ଥିବା ଏକ ସ୍କୁଲର ନିର୍ମାଣ କାର୍ଯ୍ୟ କରିଥିଲେ । ଏ ନେଇ ଥିବା ସିକ୍ୟୁରିଟି ଜମା ଓ ବକେୟା ପ୍ରାପ୍ୟ ପ୍ରଦାନ ପାଇଁ ସେ ବାରମ୍ବାର ସହକାରୀ ଯନ୍ତ୍ରୀ ଶ୍ରୀମତୀ ଦାଶଙ୍କ ଅଫିସକୁ ଦଉଡୁଥିଲେ ମଧ୍ୟ ସେ ପ୍ରାପ୍ୟ ପ୍ରଦାନ କରି ନ ଥିଲେ । ଓଲଟି ଏଥିପାଇଁ ୩୫ ହଜାର ଟଙ୍କା ଲାଞ୍ଚ ମାଗିଥିଲେ । ସମ୍ପୃକ୍ତ ଠିକାଦାର ଜଣକ ଏ ନେଇ ଭିଜିଲାନ୍ସରେ ଅଭିଯୋଗ କରିଥିଲେ । ପୂର୍ବ ଯୋଜନା ମୁତାବକ ଉକ୍ତ ଠିକାଦାର ଜଣକ ସହକାରୀ ଯନ୍ତ୍ରୀ ଶ୍ରମୀତୀ ଦାଶଙ୍କୁ ଦାବି ମୁତାବକ ୩୫ ହଜାର ଲାଞ୍ଚ ଟଙ୍କା ଦେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଥିଲେ । ତାଙ୍କ ନିକଟରେ ଥିବା ବ୍ୟକ୍ତିଗତ ସହାୟକ ସୋମନାଥ ସେଠୀଙ୍କୁ ମଧ୍ୟ ଭିଜିଲାନ୍ସ ବିଭାଗର ଅଧିକାରୀମନେ ଅଟକ ରଖିଛନ୍ତି । ଏ ନେଇ କଟକ ଭିଜିଲାନ୍ସ ବିଭାଗ ପକ୍ଷରୁ ୩୮-୨୭-୦୯-୨୬ରେ ଏକ ମାମଲା ରୁଜୁ କରାଯାଇ ତଦନ୍ତ ଚାଲିଛି ।
