ଗଞ୍ଜାମ : ମୋହନା ଥାନା ଅନ୍ତର୍ଗତ ମେରାପଲ୍ଲୀ ପଞ୍ଚାୟତ ଅଧିନ ମେରାଗାଁରେ ରବିବାର ଗୁଣିଆ ସନ୍ଦେହରେ ହତ୍ୟା ମାମଲାରେ ୧୨ ଅଭିଯୁକ୍ତଙ୍କୁ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଛି । ହତ୍ୟା ପରେ ଶବକୁ ପୋଡା ଯାଇଥିବା ସ୍ଥାନରୁ ପୁଲିସ ହାଡ଼ ଓ ପାଉଁଶ ଜବତ କରି ପରୀକ୍ଷା ପାଇଁ ଫୋରେନସିକ ଲ୍ୟାବକୁ ପଠାଇଛି ।ସୂଚନାଯୋଗ୍ୟ ଯେ, ଗ୍ରାମଠାରୁ ୨ କିମି ଦୂର ଜଙ୍ଗଲରେ ରହୁଥିବା ରାମଚ଼ନ୍ଦ୍ର ମଳିକ ଗୁଣିଗାରେଡି କରୁଥିବା ନେଇ କିଛି ଲୋକଙ୍କ ସନ୍ଦେହ ହୋଇଥିଲା । ସେମାନେ ରାମଚନ୍ଦ୍ରଙ୍କୁ ମାରିବାକୁ ଯୋଜନା କରିଥିଲେ । ଯୋଜନା ମୁତାବକ ଗତ ରବିବାର ଗ୍ରାମର ପ୍ରଭା ମଳିକ (୪୧) ଓ ଅନନ୍ତ ବେହେରା(୨୪) ରାମଚନ୍ଦ୍ରଙ୍କ ପାଖରେ ରାତି ପ୍ରାୟ ୨ଟା ବେଳେ ପହଂଚି ତାଙ୍କୁ ବିଭିନ୍ନ ଉପାୟରେ ପ୍ରଲୋଭିତ କରି ଗାଁ ମଝିକୁ ଡାକି ଆଣିଥିଲେ । ଗାଁର ଏ ନେଇ ବୈଠକ କରାଯିବା ପରେ ପୂର୍ବାହ୍ନ ପ୍ରାୟ ୫ଟାରେ ବେକକୁ ଲୁଙ୍ଗିରେ ଚିପି ଶ୍ଵାସରୁଦ୍ଧ କରି ଓ ପିଟି ପିଟି ରାମଚନ୍ଦ୍ରଙ୍କୁ ହତ୍ୟା କରାଯାଇଥିଲା । ପରେ ଶବକୁ ଗ୍ରାମ ନିକଟ ଜଙ୍ଗଲରେ ପୋଡ଼ି ଦିଆଯାଇଥିଲା । ରାମଚନ୍ଦ୍ରଙ୍କ ପରିବାର ପକ୍ଷରୁ ଥାନାରେ ଏ ନେଇ ଅଭିଯୋଗ ହେବା ପରେ ପୁଲିସ ତନାଘନା କରି ଘଟଣାରେ ସମ୍ପୃକ୍ତ ୧୨ ଜଣଙ୍କୁ ଧରିବାରେ ସଫଳ ହୋଇଥିଲା । ସେମାନେ ହେଲେ ମେରାମା ଗାଁର କାମଦେବ ମଳିକ (୪୬), ଦୀପୁ ବେହେରା(୨୧), କାର୍ତ୍ତିକ ମଳିକ(୩୪), ପ୍ରଭା ମଳିକ (୪୧), ଅନନ୍ତ ବେହେରା(୨୪) ,କଟ ମଳିକ(୫୧), ଚୈତନ୍ୟ ମଳିକ, ଅଶୋକ ମଳିକ, ରବିନ୍ଦ୍ର ବେହେରା, ରାଜୁ ବେହେରା, ରାଘବ ମଳିକ, କାଳିଆ ବେହେରା। ଗାଁ ଲୋକଙ୍କ କବଳରୁ ସ୍ୱାମୀ ରାମଚ଼ନ୍ଦ୍ରଙ୍କୁ ରକ୍ଷା କରିବାକୁ ଯାଇ ସ୍ତ୍ରୀ କଳାବତୀ ମଧ୍ୟ ଆହତ ହୋଇଥିବା ଜଣାପଡ଼ିଛି । ଘଟଣା ସ୍ଥଳରେ ପାରଳାଖେମୁଣ୍ଡି ସାଇଣ୍ଟିଫିକ୍ ଟିମ ପହଞ୍ଚି ସବୁକିଛି ଅନୁଧ୍ୟାନ କରିବା ପରେ ହାଡ଼ ଓ ପାଉଁଶ ଜବତ କରିଛି ।
