ଅହମ୍ମଦାବାଦ: ଭାରତର ପ୍ରଥମ ଲିକ୍ବିଫାଏଡ ନ୍ୟାଚୁରାଲ ଗ୍ୟାସ (ଏଲଏନଜି) ଟ୍ରେନ ଚଳାଚଳ ଆରମ୍ଭ ହୋଇଛି। ଗୁଜରାଟର ସାବରମତୀରୁ ରବିବାର ସବୁଜ ପତାକା ଦେଖାଇ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଏହି ଟ୍ରେନ ସେବା ଓ ୧୫୪୨ କୋଟି ଟଙ୍କାର ବିଭିନ୍ନ ରେଳ ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି। ଏହି ଏଲଏନଜି ଟ୍ରେନ ସାବରମତୀରୁ ମେହସାଣା ମଧ୍ୟରେ ଚାଲୁଛି। ଏହି ଅବସରରେ ଶାହା କହିଛନ୍ତି ଯେ ୨୦୧୫-୧୬ରେ ରେଳବାଇ ୨୯୩ କୋଟି ଲିଟର ଡିଜେଲ୍ ବ୍ୟବହାର କରିଥିଲା। ଏହି ପରିମାଣ ୨୦୨୪-୨୫ରେ ହ୍ରାସ ପାଇ ୧୦୮ କୋଟି ଲିଟରରେ ପହଞ୍ଚିଛି। ୨୦୩୦ ସୁଦ୍ଧା ଏହାକୁ ଶୂନ୍ୟ କରିବାକୁ ଲକ୍ଷ୍ୟ ରଖାଯାଇଛି। ଏହା ଦ୍ୱାରା ଭାରତୀୟ ମୁଦ୍ରା ସଞ୍ଚୟ ହୋଇପାରିବ। ଏହା ଏକ ବଡ଼ ସଫଳତା ଯାହା ପ୍ରାୟତଃ ଲୋକଙ୍କ ନଜରକୁ ଆସେ ନାହିଁ। ଏହି ଟ୍ରେନ୍ ପରିବେଶ ଜନିତ ସମସ୍ୟାର ସମାଧାନ କରିବ। ପ୍ରଦୂଷଣ ହ୍ରାସ କରିବା ସହିତ ଯାତ୍ରୀମାନଙ୍କ ସୁବିଧା ବଢ଼ାଇବ ଓ ସୁରକ୍ଷାକୁ ଦୃଢ଼ କରିବ। ଏହି ଟ୍ରେନ୍ ସମ୍ପୂର୍ଣ୍ଣ ଭାବେ ଏଲଏନଜି ଆଧାରିତ ହେବ। ଏହାର ଇଞ୍ଜିନ୍ ଉଭୟ ଏଲଏନଜି ଓ ଡିଜେଲରେ ଚାଲିପାରିବ। ଇନ୍ଧନର ମାତ୍ରାକୁ ଦେଖି ଇଞ୍ଜିନ୍ ଆପେ ଆପେ ଏଲଏନଜିରୁୁ ଡିଜେଲ ମୋଡକୁ ଯାଇପାରିବ।