ହରଭଙ୍ଗା:-ଦୀର୍ଘ୪ଦିନହେଲା ରାଜ୍ୟର ଅଧିକାଂଶ ଜିଲ୍ଲାରେ ଲଗାଣବର୍ଷା ଲାଗିରହିଥିଲା ।ବୌଦ୍ଧଜିଲ୍ଲାରେ ଗତ୨୩ରୁ ୨୬ ତାରିଖ ପର୍ଯ୍ୟନ୍ତ ୭୨ଘଂଟାରୁ ଅଧିକ ସମୟ ବର୍ଷା ହୋଇଛି ।ଗତ ୪ଦିନ ମଧ୍ୟରେ ବୌଦ୍ଧଜିଲ୍ଲାର ତିନୋଟି ବ୍ଲକରେ ୨୨୩ମି.ମି ବର୍ଷା ରେକର୍ଡ କରାଯାଇଛି । ଉପରମୁଣ୍ଡରେ ଲଗାଣବର୍ଷାକୁ ଦୃଷ୍ଟିରେ ରଖି ହୀରାକୁଦରୁ ୨୮ଟି ଫାଟକ ଦ୍ୱାରା ବନ୍ୟା ଜଳ ନିଷ୍କାସନ କରାଯାଇଛି । ।ଯାହାଫଳରେ ମହାନଦୀର ବନ୍ୟାଜଳ ବୃଦ୍ଧିପାଇବାରେ ଲାଗିଛି ।ଉପରମୁଣ୍ଡରେ ଲଗାଣ ବର୍ଷା ସାଙ୍ଗକୁ ତଳମୁଣ୍ଡରେ ବର୍ଷା ପ୍ରଭାବ ଯୋଗୁଁ ମହାନଦୀ ରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ହରଭଙ୍ଗା-ଧଳପୁର ଜଗନ୍ନାଥ ସଡକର ଭେଜିଗୁଡା,ସଦଲଗଣ୍ଡା,ଡିଆଁଘାଟ ଆଦିସ୍ଥାନରେ ରାସ୍ତା ଉପରେ ବନ୍ୟାପାଣି ଯୋଗୁଁ ଏହି ରାସ୍ତାରେ ଯୋଗାଯୋଗ ବିଛିନ୍ନ ହୋଇଛି ।ହରଭଙ୍ଗା ପଂଚାୟତର କୋଡାଶିଙ୍ଗା ,ଶଙ୍କୁଲେଇ ପଂଚାୟତର ପାଣିଘରା , ଧଳପୁର ପଂଚାୟତର ଖଣ୍ଡିଧଳପୁର, କୁଶଙ୍ଗ ପଂଚାୟତର ମାରଡା ଗାଁକୁ ଯୋଗାଯୋଗ ବିଛିନ୍ନ ହୋଇପଡିଛି ।ମହାନଦୀ କୂଳରେ ରହିଥିବା ଶହ ଶହ ହେକ୍ଟର ଚାଷଜମି ବନ୍ୟାପାଣିରେ ବୁଡିରହିବା ସହିତ ଧାନ ଫସଲ ନଷ୍ଟ ହେବା ଆଶଙ୍କା ରହିଛି । ମହାନଦୀ ତଳମୁଣ୍ଡରେ ରହିଥିବା ହରଭଙ୍ଗା ତହସିଲର ୪୧ଟି ବନ୍ୟାପ୍ଲାବିତ ଗାଁ ପ୍ରଭାବିତ ହେବା ଆଶଙ୍କା ରହିଛି ।ବଡଧରଣର ବନ୍ୟାହେଲେ ହରଭଙ୍ଗା ତହସିଲର ୦୯ଟି ପଂଚାୟତର ୬୫ଟି ନଦୀକୂଳିଆ ଗ୍ରାମ ଅଧିକ ପ୍ରଭାବିତ ହେବା ଆଶଙ୍କା ରହିଛି ।ବିଶେଷକରି ମହାନଦୀ ବନ୍ୟାରେ ହରଭଙ୍ଗା ତହସିଲର ହରଭଙ୍ଗା,ଶଙ୍କୁଲେଇ,କୁଶଙ୍ଗ,ଧଳପୁର,ରାମଗଡ,ବୀରନରସିଂହପୁର,ରାଧାନଗର,ସାମ୍ପୋଚ୍ ପଂଚାୟତ ପ୍ରଭାବିତ ଆଶଙ୍କା ରହିଛି । ଏ ସର୍ମ୍ପକରେ ହରଭଙ୍ଗା ତହସିଲଦାର କର୍ଣ୍ଣ ସୁନାଙ୍କୁ ପଚାରିବାରୁ ଆମେ ବନ୍ୟା ପ୍ରଭାବିତ ଅଂଚଳ ପରିଦର୍ଶନ କରି ଗାଁ ଲୋକଙ୍କୁ ସଚେତନ କରାଯାଇଛି ।ଆସନ୍ତାକାଲି ପରିସ୍ଥିତିକୁ ଦେଖି ପଦକ୍ଷେପ ଗ୍ରହଣ କରାଯିବ ବୋଲି କହିଥିଲେ । ବର୍ତମାନ ଜଗନ୍ନାଥ ସଡକରେ ପାଣି ଯୋଗୁଁ ଯୋଗାଯୋଗ ବିଛିନ୍ନ ରହିଛି ।ମାରଡା,ପାଣିଘରା,କୋଡାଶିଙ୍ଗା,ଏବଂ ଖଣ୍ଡିଧଳପୁର ପାଣିଘେରରେ ରହିଛି ।
