ଇସଲାମାବାଦ: ପାକିସ୍ତାନର ଖୈବର ପଖତୁନଖ୍ବାରେ ଶନିବାର ଆତ୍ମଘାତୀ ଆକ୍ରମଣ ହୋଇଛି। ଡେରା ଇସମାଇଲ ଖାନ ଜିଲାର ରାସ୍ତା କଡ଼ରେ ଥିବା ଏକ ପୁଲିସ ଶିବିରକୁ ନିଶାଣ କରି ହୋଇଥିବା ଏହି ଆକ୍ରମଣରେ ୧୩ ଜଣଙ୍କ ମୃତ୍ୟୁ ହୋଇଛି। ମୃତକଙ୍କ ମଧ୍ୟରେ ୨ ମହିଳା ଓ ଏକ ଶିଶୁ ସାମିଲ ରହିଛି। ୩୦ ଜଣ ମଧ୍ୟ ଆହତ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ଅଧିକାଂଶଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର ରହିଛି। ପୁଲିସ ସୂଚନା ଅନୁଯାୟୀ, ଆକ୍ରମଣକାରୀ ଏକ ବିସ୍ଫୋରକ ଭର୍ତ୍ତି ଗାଡ଼ି ନେଇ ଆସିଥିଲା। ସେ ପୁଲିସ ଶିବିର ନିକଟରେ ପହଞ୍ଚିବା ପରେ ନିଜକୁ ଉଡ଼ାଇ ଦେଇଥିଲା। ଆତଙ୍କବାଦୀ ସଂଗଠନ ତେହରିକ-ଇ-ତାଲିବାନ ପାକିସ୍ତାନ (ଟିଟିପି) ଏହି ଆକ୍ରମଣ ପାଇଁ ନିଜକୁ ଦାୟୀ କରିଛି। ଏହି ସଂଗଠନକୁ ଆଫଗାନିସ୍ତାନର ତାଲିବାନ ସମର୍ଥନ ଦେଉଛି। ଟିଟିପି ପାକିସ୍ତାନ ସେନା ଓ ସରକାରଙ୍କ ମୁଣ୍ଡ ବିନ୍ଧା ସୃଷ୍ଟି କରିଛି। ସୂଚନାଯୋଗ୍ୟ ଯେ ଚଳିତ ବର୍ଷ ଏ ପର୍ଯ୍ୟନ୍ତ ୯୯୦ଟି ଆତଙ୍କବାଦୀ ଘଟଣା ସାମନାକୁ ଆସିଲାଣି। ଏଥିରେ ୧୧୨୯ ଜଣ ପ୍ରାଣ ହରାଇଲେଣି।
