ୱାଶିଂଟନ: ପଶ୍ଚିମ ଏସିଆରେ ଉତ୍ତେଜନା ପୁନର୍ବାର ବୃଦ୍ଧି ପାଇବା ଆଶଙ୍କା ସୃଷ୍ଟି ହୋଇଛି। ୱାଲ୍ ଷ୍ଟ୍ରିଟ୍ ଜର୍ଣ୍ଣାଲ୍ ଅନୁଯାୟୀ, ଡୋନାଲ୍ଡ ଟ୍ରମ୍ପ ଇରାନର ସାତଦିନିଆ ଅସ୍ତ୍ରବିରତି ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିଛନ୍ତି। ଯଦି ଆମେରିକାର ସର୍ତ୍ତଗୁଡ଼ିକୁ ଗ୍ରହଣ କରେ, ତେବେ ସେ ସାତ ଦିନ ମଧ୍ୟରେ ହର୍ମୁଜ୍ ପ୍ରଣାଳୀ ଖୋଲିବାକୁ ଇରାନ ପ୍ରସ୍ତାବ ଦେଇଥିଲା। ଆମେରିକାର ଅଧିକାରୀଙ୍କଠାରୁ ମିଳିଥିବା ସୂଚନା ଆଧାରରେ ରିପୋର୍ଟରେ ଦାବି କରାଯାଇଛି ଯେ ଟ୍ରମ୍ପ ତାଙ୍କ ପରାମର୍ଶଦାତା ଏବଂ ନିକଟତମ ସହଯୋଗୀମାନଙ୍କୁ କହିଛନ୍ତି ଯେ ନଭେମ୍ବରରେ ଆମେରିକାର ମଧ୍ୟବର୍ତ୍ତୀକାଳୀନ ନିର୍ବାଚନ ପରେ ଇରାନ ବିରୋଧରେ ପୁଣି ଥରେ ବୋମା ମାଡ଼ ଏବଂ ସାମରିକ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିବାକୁ ଯୋଜନା କରୁଛନ୍ତି। ଟ୍ରମ୍ପ୍ ଜାତିସଂଘ ସାଧାରଣ ପରିଷଦରେ ଇରାନର ଭବିଷ୍ୟତ ସମ୍ପର୍କରେ କହିଥିଲେ ଯେ ତାଙ୍କୁ ନିଷ୍ପତ୍ତି ନେବାକୁ ପଡ଼ିବ, ଆଲୋଚନା ମାଧ୍ୟମରେ ଇରାନକୁ ପୁଣି ଥରେ ଶକ୍ତିଶାଳୀ ହେବାର ସୁଯୋଗ ଦିଆଯିବ ନା ଇସଲାମିକ ଗଣରାଜ୍ୟ ଉପରେ ବଡ଼ ଧରଣର ଆକ୍ରମଣ କରି ଏହାକୁ ଧ୍ବଂସ କରାଯିବ। ନିର୍ବାଚନ ସମାପ୍ତ ହେବା ପରେ ଏକ ନୂତନ ଚୁକ୍ତି ହେବାର ସମ୍ଭାବନା ଅଧିକ।ସୂଚନାଥାଉ କି ଇରାନର ବୈଦେଶିକ ମନ୍ତ୍ରୀ ସୟଦ ଆବାସ ଆରାଘଚି ଘୋଷଣା କରିଥିଲେ ଯେ ସେ ପଶ୍ଚିମ ଏସିଆରେ ଶାନ୍ତି ଫେରାଇ ଆଣିବା ପାଇଁ ମଧ୍ୟସ୍ଥତା ମାଧ୍ୟମରେ ଆମେରିକା ନିକଟକୁ ଏକ ସାତ ଦିନିଆ ଯୁଦ୍ଧ ବିରତି ଯୋଜନା ନେଇ ଏକ ଡ୍ରାଫ୍ଟ ପଠାଇଛନ୍ତି।