ନାଗୋୟା: ଚଳିତ ଏସୀୟ କ୍ରୀଡ଼ାରେ ଭାରତୀୟ ପୁରୁଷ ହକି ଦଳ କ୍ରମାଗତ ଚତୁର୍ଥ ବିଜୟ ସହ ସେମିଫାଇନାଲରେ ପହଞ୍ଚିଛି। ଶନିବାର ପୁଲ୍‌ ‘ଏ’ର ଏକ ଲିଗ୍‌ ମ୍ୟାଚରେ ଭାରତ ୨-୦ ଗୋଲରେ ଜାପାନକୁ ପରାସ୍ତ କରିଛି। ଭାରତ ୪ଟି ମ୍ୟାଚରୁ ୪ଟି ବିଜୟ ସହ ୧୨ ପଏଣ୍ଟ ପାଇ ପୁଲର ଶୀର୍ଷ ସ୍ଥାନରେ ରହିଛି। ପ୍ରଥମ ୩ଟି ମ୍ୟାଚରେ ବୃହତ ବିଜୟ ହାସଲ କରିଥିବା ଭାରତକୁ ଘରୋଇ ଜାପାନ କଡା ଟକ୍କର ଦେଇଥିଲା। ପ୍ରଥମ କ୍ବାର୍ଟରର ଅନ୍ତିମ ସମୟ ୧୫ଶ ମିନିଟ୍‌ରେ ଭାରତ ଗୋଲ ଦେଇ ଅଗ୍ରଣୀ ହାସଲ କରିଥିଲା। ଭାରତ ପକ୍ଷରୁ ଅଭିଷେକ ଗୋଲ ଦେଇ ୧-୦ରେ ଆଗୁଆ କରିଥିଲେ। ଦ୍ବିତୀୟ କ୍ବାର୍ଟର ଖେଳ ଗୋଲଶୂନ୍ୟ ରହିଥିଲା। ତୃତୀୟ କ୍ବାର୍ଟରରେ ଜାପାନ ଗୋଲ ବରାବର ନେଇ ଉଦ୍ୟମ କରିଥିଲେ ମଧ୍ୟ ଭାରତ କୌଣସି ସୁଯୋଗ ଦେଇନଥିଲା। ୪୦ ମିନିଟ୍‌ରେ ଭାରତକୁ ଏକ ପେନାଲ୍ଟି କର୍ଣ୍ଣର ମିଳିଥିଲା। ଏହାକୁ ଅଧିନାୟକ ହରମନପ୍ରୀତ ସିଂହ ଗୋଲରେ ପରିଣତ କରି ଦଳକୁ ୨-୦ରେ ଆଗୁଆ କରିଥିଲେ। ଅନ୍ତିମ କ୍ବାର୍ଟରରେ ଜାପାନ ଗୋଲ ଦେବାକୁ ଉଦ୍ୟମ କରି ବିଫଳ ହୋଇଥିବୀବେଳେ ଭାରତ ମ୍ୟାଚକୁ ୨-୦ ଗୋଲରେ ବିଜୟୀ ହୋଇଥିଲା। ଭାରତ ପ୍ରଥମ ମ୍ୟାଚରେ ୧୩-୧ ଗୋଲରେ ଇଣ୍ଡୋନେସିଆ, ଦ୍ବିତୀୟ ମ୍ୟାଚରେ ୧୬-୧ ଗୋଲରେ ଶ୍ରୀଲଙ୍କା ଓ ତୃତୀୟ ମ୍ୟାଚରେ ୮-୨ ଗୋଲରେ ଦକ୍ଷିଣ କୋରିଆକୁ ପରାସ୍ତ କରିଥିଲା। ଭାରତ ୨୮ରେ ଶେଷ ଲିଗ୍‌ ମ୍ୟାଚ ବାଂଲାଦେଶ ସହ ଖେଳିବ।