ଲକ୍ଷ୍ନୌ: ବ୍ୟାଟିଂ କିମ୍ବଦନ୍ତୀ ବୀରେନ୍ଦ୍ର ସେହ୍ବାଗଙ୍କ ସୁପୁତ୍ର ଆର୍ଯ୍ୟବୀର ସେହ୍ବାଗ ଦିଲ୍ଲୀ ୧୯ ବର୍ଷରୁ କମ୍‌ ଦଳର ଅଧିନାୟକ ନିଯୁକ୍ତ ହୋଇଛନ୍ତି। ୧୮ ବର୍ଷୀୟ ଆର୍ଯ୍ୟବୀରଙ୍କୁ ବିନୁ ମଙ୍କଡ଼ ଟ୍ରଫି ପାଇଁ ଦିଲ୍ଲୀର ୧୯ ବର୍ଷରୁ କମ୍ କ୍ରିକେଟ୍ ଦଳର ନେତୃତ୍ବ ପ୍ରଦାନ କରାଯାଇଛି। ଡିଡିସିଏ ଶନିବାର ୧୬ ଜଣିଆ ଦିଲ୍ଲୀ ଦଳ ଘୋଷଣା କରିଛି। ବିନୁ ମଙ୍କଡ଼ ଟ୍ରଫି ଅକ୍ଟୋବର ୮ରୁ ବିଶାଖାପାଟଣାରେ ଅନୁଷ୍ଠିତ ହେବ। ଆର୍ଯ୍ୟବୀର ନିକଟରେ ଅଷ୍ଟ୍ରେଲିଆ ବିପକ୍ଷରେ ଭାରତୀୟ ୧୯ ବର୍ଷରୁ କମ୍‌ ଦଳ ପାଇଁ ଖେଳିଥିଲେ ଏବଂ ଦିଲ୍ଲୀ ପ୍ରିମିୟର ଲିଗ୍‌ରେ ୱେଷ୍ଟ ଦିଲ୍ଲୀ ଲାୟନ୍‌ସ ପକ୍ଷରୁ ମଧ୍ୟ ଖେଳିଥିଲେ। ଏକ ବର୍ଷା-ବାଧାପ୍ରାପ୍ତ ମ୍ୟାଚ୍‌ରେ ଅଷ୍ଟ୍ରେଲିଆକୁ ଭାରତ ୭ ରନ୍‌ରେ ପରାସ୍ତ କରିଥିବା ବେଳେ ଆର୍ଯ୍ୟବୀର ପଦାର୍ପଣ ମ୍ୟାଚ୍‌ରେ ୨୬ଟି ବଲ୍‌ରୁ ୨୮ ରନ୍ କରିଥିଲେ। ପରେ ସେ ୨ୟ ଦିନିକିଆ ମ୍ୟାଚ୍‌ରେ ବ୍ୟକ୍ତିଗତ ସର୍ବାଧିକ ୪୭ ରନ୍‌କରି ରନ୍ଆଉଟ୍‌ ହୋଇଥିଲେ। ୩ୟ ମ୍ୟାଚ୍‌ରେ ମଧ୍ୟ ସେ ୩୪ ରନ୍ କରିଥିଲେ। ସେ ୩ଟି ଇନିଂସରୁ ମୋଟ ୧୦୯ ରନ୍ କରିଥିଲେ। ପୂର୍ବରୁ ୨୦୨୪ କୁଚ୍‌ବିହାର ଟ୍ରଫିରେ ଦିଲ୍ଲୀ ପକ୍ଷରୁ ଖେଳି ମେଘାଳୟ ବିପକ୍ଷରେ ୨୯୭ ରନ୍‌ର ବିସ୍ଫୋରକ ଇନିଂସ୍‌ ଖେଳି ଚର୍ଚ୍ଚାକୁ ଆସିଥିଲେ।