ବୈପାରିଗୁଡା : : ରାସ୍ତା ନାହିଁ, ବ୍ରିଜ୍ ନାହିଁ। ଗାଁକୁ ଯିବାକୁ ହେଲେ ନାଳ ପାର ହେବାକୁ ପଡ଼ୁଛି। ବର୍ଷା ହେଲେ ବଢ଼ିଯାଉଛି ନାଳର ପାଣି, ଆଉ ତା’ ସହ ଅଟକିଯାଉଛି ଗାଁର ଯୋଗାଯୋଗ। ସରକାରୀ ବ୍ୟବସ୍ଥାକୁ ଅପେକ୍ଷା କରି କରି ଶେଷରେ ଗ୍ରାମବାସୀ ନିଜ ଉଦ୍ୟମରେ ତିଆରି କରିଥିଲେ ବ୍ରିଜ୍। ହେଲେ ବର୍ଷାର ପ୍ରଖର ସ୍ରୋତରେ ତାହା ମଧ୍ୟ ଧୋଇଗଲା। ଏଭଳି ଅବସ୍ଥା ଦେଖିବାକୁ ମିଳିଛି ବୈପାରିଗୁଡା ବ୍ଲକ ଦଶମନ୍ତପୁର ପଞ୍ଚାୟତ ଅନ୍ତର୍ଗତ ସାରୁକୁଣ୍ଡ ଗ୍ରାମରେ।ଆଦିବାସୀ ଅଧ୍ୟୁଷିତ ବୈପାରିଗୁଡା ବ୍ଲକର ଅନେକ ଗାଁ ଏବେ ବି ଭଲ ରାସ୍ତା ଓ ଯୋଗାଯୋଗ ବ୍ୟବସ୍ଥାରୁ ବଞ୍ଚିତ। ସରକାର ଗ୍ରାମାଞ୍ଚଳର ବିକାଶ ଓ ମୌଳିକ ସୁବିଧା ଯୋଗାଣ ନେଇ ଗୁରୁତ୍ୱ ଦେଉଥିବା ବେଳେ ସାରୁକୁଣ୍ଡ ଗ୍ରାମର ବାସ୍ତବ ଚିତ୍ର କିନ୍ତୁ ଭିନ୍ନ କଥା କହୁଛି।ଗ୍ରାମକୁ ପ୍ରବେଶ କରିବା ମାତ୍ରେ ପଡ଼ୁଛି ଏକ ବଡ଼ ନାଳ। ବର୍ଷା ଦିନେ ନାଳରେ ପାଣି ବଢ଼ିଲେ ଗାଁରୁ ବାହାରିବା ଏକପ୍ରକାର ଅସମ୍ଭବ ହୋଇପଡ଼ୁଛି। ବର୍ଷ ବର୍ଷ ଧରି ଏହି ସମସ୍ୟା ଲାଗି ରହିଥିଲେ ମଧ୍ୟ ସ୍ଥାୟୀ ସମାଧାନ ହୋଇନାହିଁ। ଶେଷରେ ଗ୍ରାମବାସୀ ନିଜ ଶ୍ରମ ଓ ଅର୍ଥରେ ନାଳ ଉପରେ ଏକ ବ୍ରିଜ୍ ନିର୍ମାଣ କରିଥିଲେ। କିନ୍ତୁ ପ୍ରକୃତିର ପ୍ରକୋପ ଆଗରେ ତାହା ବି ତିଷ୍ଠି ପାରିଲା ନାହିଁ। ବର୍ଷା ପାଣିର ପ୍ରଖର ସ୍ରୋତରେ ବ୍ରିଜ୍ଟି ଧୋଇଯାଇଛି।ଏହି ନାଳ ଦେଇ ପ୍ରତିଦିନ ଗାଁର ଛୋଟ ଛୋଟ ପିଲାମାନେ ବିଦ୍ୟାଳୟକୁ ଯାତାୟାତ କରୁଛନ୍ତି। ବର୍ଷା ସମୟରେ ନାଳରେ ପାଣି ବଢ଼ିଗଲେ ପିଲାମାନଙ୍କ ସ୍କୁଲ ଯିବା ମଧ୍ୟ ବିପଦପୂର୍ଣ୍ଣ ହୋଇପଡ଼ୁଛି। ରୋଗୀଙ୍କୁ ଚିକିତ୍ସା ପାଇଁ ନେବା, ବୃଦ୍ଧଙ୍କ ଯାତାୟାତ କିମ୍ବା ଜରୁରୀ ସମୟରେ ଗାଁରୁ ବାହାରିବା ସବୁ କ୍ଷେତ୍ରରେ ଏହି ନାଳ ହିଁ ପ୍ରମୁଖ ବାଧକ ସାଜିଛି। ସରକାରୀ ବ୍ୟବସ୍ଥା ନଥିବାରୁ ଗ୍ରାମବାସୀ ନିଜେ ବ୍ରିଜ୍ କଲେ, ତାହା ବି ଧୋଇଗଲା। ଏବେ କେବେ ପ୍ରଶାସନର ନଜର ପଡ଼ିବ ସେଇ ଅପେକ୍ଷାରେ ସାରୁକୁଣ୍ଡବାସୀ। ଗ୍ରାମବାସୀଙ୍କ ଦାବି, ଆଉ ଅସ୍ଥାୟୀ ବ୍ୟବସ୍ଥା ନୁହେଁ, ନାଳ ଉପରେ ଏକ ସ୍ଥାୟୀ ବ୍ରିଜ୍ ନିର୍ମାଣ କରାଯାଉ। ଏଥିସହ ଗାଁକୁ ଯାଇଥିବା ରାସ୍ତାର ମଧ୍ୟ ସ୍ଥାୟୀ ଭାବେ ଉନ୍ନତିକରଣ କରାଯାଉ। ପ୍ରଶାସନ ତୁରନ୍ତ ପଦକ୍ଷେପ ନନେଲେ ଆଗାମୀ ଦିନରେ ଏହି ସମସ୍ୟା ଆହୁରି ଗମ୍ଭୀର ହେବାର ଆଶଙ୍କା ରହିଛି।
