ସାଉଦୀ ଆରବ: ସାଉଦୀ ଆରବର ରିୟାଦସ୍ଥିତ କିଙ୍ଗ ଖାଲିଦ ଇଂଟରନ୍ୟାସନାଲ ଏୟାରପୋର୍ଟ ଉପରେ ୟେମେନର ହାଉଥିମାନଙ୍କ କ୍ଷପଣାସ୍ତ୍ର ଆକ୍ରମଣ ଯୋଗୁ ୧୨ ଜଣ ପ୍ରାଣ ହରାଇଥିବା ବେଳେ ୩୦୦ରୁ ଊର୍ଦ୍ଧ୍ୱ ଆହତ ହୋଇଛନ୍ତି । ସାଉଦୀ ଜେନେରାଲ ଅଥରିଟି ଅଫ ସିଭିଲ୍ ଆଭିଏସନ(ଜିଏସିଏ) ପକ୍ଷରୁ କୁହାଯାଇଛି, ଶନିବାର ହୋଇଥିବା ଏହି ଆକ୍ରମଣରେ ୪ ଜଣ ସାଉଦୀ ନାଗରିକଙ୍କ ସମେତ ୨ ଜଣ ବାଂଲାଦେଶୀ, ଜଣେ ଆମେରିକୀୟ, ଜଣେ ଜୋର୍ଡାନ, ଜଣେ ପାଲେଷ୍ଟାଇନ, ସିରିଆ, ସୁଦାନ ଓ ଇଜିପ୍ଟର ନାଗରିକ ମୃତ୍ୟୁବରଣ କରିଛନ୍ତି । ୩୦୯ ଜଣ ଗୁରୁତର ଆହତ ହୋଇଥିବା ମଧ୍ୟ ସଂସ୍ଥା ପକ୍ଷରୁ କୁହାଯାଇଛି । ଗୋଟିଏ ସପ୍ତାହ ମଧ୍ୟରେ ଏହା ତୃତୀୟ ଆକ୍ରମଣ । ଗୁରୁବାର ହୋଇଥିବା ଆକ୍ରମଣରେ ଜଣେ ପାଇଲଟ୍‌ଙ୍କ ସମେତ ୩ ଜଣ ସାଉଦି ନାଗରିକଙ୍କ ମୃତ୍ୟୁ ଘଟିଥିଲା । ଏହି ଆକ୍ରମଣ ପରେ ବିମାନ ବନ୍ଦରକୁ କିଛି ସମୟ ପାଇଁ ବନ୍ଦ ରଖାଯାଇଥିଲା । ସାଉଦୀ ମାଟିରେ ଏହା ସବୁଠୁ ବଡ଼ ଆକ୍ରମଣ ବୋଲି କୁହାଯାଉଛି । ଏହି ଆକ୍ରମଣକୁ ଭାରତ ପକ୍ଷରୁ ମଧ୍ୟ ନିନ୍ଦା କରାଯାଇଛି । ବୈଦେଶିକ ବ୍ୟାପାର ମନ୍ତ୍ରାଳୟ ପକ୍ଷରୁ ଏକ ବିବୃତିରେ କୁହାଯାଇଛି, ଏଭଳି ଆକ୍ରମଣକୁ ଭାରତ ଦୃଢ ଭାବେ ନିନ୍ଦା କରୁଛି । ଏଭଳି ସମୟରେ ଭାରତ ସାଉଦୀ ସରକାର ଓ ସାଉଦୀ ନାଗରିକମାନଙ୍କ ସହ ଅଛି । ଖୁବ୍ ଶୀଘ୍ର ସାଉଦୀ ଆରବରେ ଶାନ୍ତି ଫେରିଆସୁ ବୋଲି ଭାରତ ଚାହେଁ ।