ଜାପାନ: ଜାପାନରେ ଚାଲିଥିବା ଏସିଆନ୍ ଗେମ୍ସର ବୁଧବାର ଭାରତ ପାଇଁ ସବୁଠୁ ସଫଳତମ ଦିନ ସାବ୍ୟସ୍ତ ହୋଇଛି । ବୁଧବାର ଭାରତୀୟ ଖେଳାଳିମାନେ ଦେଶ ପାଇଁ ୪ଟି ସ୍ୱର୍ଣ୍ଣପଦକ ଜିତିଛନ୍ତି । ଫଳରେ ଭାରତର ସ୍ୱର୍ଣ୍ଣ ପଦକ ସଂଖ୍ୟା ୧୦ରେ ପହଂଚିଛି । ୧୦ ସ୍ୱର୍ଣ୍ଣ, ୨୧ ରୌପ୍ୟ ଏବଂ ୨୯ ବ୍ରୋଞ୍ଜ ସହ ମୋଟ ୬୦ଟି ପଦକ ଜିତି ଏକାଦଶ ଦିନ ଶେଷ ସୁଦ୍ଧା ଭାରତ ମେଡାଲ ତାଲିକାର ଅଷ୍ଟମ ସ୍ଥାନରେ ପହଂଚିଛି । ବୁଧବାର ଖେଳା ଯାଇଥିବା ତୀରନ୍ଦାଜି ପ୍ରତିଯୋଗିତାରେ ମହିଳା ଟିମ୍, ମିକ୍ସଡ ଟିମ୍ ଏବଂ ପୁରୁଷ ଟିମ୍ ୩ଟି ବର୍ଗରେ ୩ଟି ଯାକ ସ୍ୱର୍ଣ୍ଣ ପଦକ ଜିତି ନୂଆ କୀର୍ତିମାନ ସ୍ଥାପନ କରିଛନ୍ତି । ସେହିପରି ସୁଟିଂରେ ନିରୁ ଧାଣ୍ଡା ଓ କ୍ୟାନାନ ଚେନାଏ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି । କୁସ୍ତିରେ ସୁନୀଲ କୁମାର ବ୍ରୋଞ୍ଜ ପଦକ ହାସଲ କରିଥିବା ବେଳେ ବକ୍ସିଂରେ ପ୍ରିୟା ଘଙ୍ଗାସ ଏବଂ କପିଲ ପୋଖରିୟା ବ୍ରୋଞ୍ଜ ପଦକ ହାସଲ କରିଛନ୍ତି । ଭାରତୀୟ ମହିଳା ହକି ଦଳ ଦକ୍ଷିଣ କୋରିଆକୁ ୨-୦ ଗୋଲରେ ପରାସ୍ତ କରି ଫାଇନାଲରେ ପ୍ରବେଶ କରିବା ସହ ପଦକ ପକ୍କା କରିଛନ୍ତି ।