ପାଟଣା: କେନ୍ଦୁଝର ଜିଲ୍ଲା ଘଟଗାଁ ଥାନା ଅନ୍ତର୍ଗତ ୨୦ ନମ୍ବର ଜାତୀୟ ରାଜପଥର ବାଙ୍କପାଟୁଳି ନିକଟରେ ଆଜି ଅପରାହ୍ନରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ଦ୍ରୁତଗାମୀ କାର୍ ଓ ବାଇକ ମଧ୍ୟରେ ମୁହାଁମୁହିଁ ଜୋରଦାର ଧକ୍କା ହେବା ଫଳରେ ବାଇକରେ ଥିବା ଦୁଇ ଜଣ ଯୁବକ ଓ ଜଣେ ବୃଦ୍ଧ ରାସ୍ତା ଉପରକୁ ଛିଟିକି ପଡ଼ି ଗୁରୁତର ଆହତ ହୋଇଛନ୍ତି। ବୃଦ୍ଧ ଜଣଙ୍କ ଅବସ୍ଥା ସଂକଟାପନ୍ନ ରହିଛି। ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁଯାୟୀ, ଦୁର୍ଘଟଣାଟି ଏତେ ଭୟଙ୍କର ଥିଲା ଯେ ଧକ୍କା ପରେ ବାଇକଟି ସମ୍ପୂର୍ଣ୍ଣ ଭାଙ୍ଗି ଚୂରମାର ହୋଇଯାଇଛି। ଘଟଣାସ୍ଥଳରେ ରାସ୍ତା ଉପରେ ସେମାନଙ୍କ ଜିନିଷପତ୍ର ଏବଂ ପନିପରିବା ବିଞ୍ଚି ହୋଇ ପଡ଼ିଥିବା ଦେଖିବାକୁ ମିଳିଛି। ଦୁର୍ଘଟଣା ଘଟାଇଥିବା ଧଳା ରଙ୍ଗର କାର୍ର ଅଗ୍ରଭାଗ ମଧ୍ୟ ବ୍ୟାପକ ଭାବେ କ୍ଷତିଗ୍ରସ୍ତ ହୋଇଛି। ଦୁର୍ଘଟଣା ପରେ ସ୍ଥାନୀୟ ଲୋକେ ଘଟଣାସ୍ଥଳରେ ପହଞ୍ଚି ଗୁରୁତର ଆହତଙ୍କୁ ଉଦ୍ଧାର କରି ଚିକିତ୍ସା ନିମନ୍ତେ ନିକଟସ୍ଥ ଡାକ୍ତରଖାନାକୁ ପଠାଇବା ସହ ଘଟଗାଁ ପୁଲିସକୁ ଖବର ଦେଇଥିଲେ। ପୁଲିସ ଘଟଣାସ୍ଥଳରେ ପହଞ୍ଚି ଉଭୟ ଗାଡ଼ିକୁ ଜବତ କରିବା ସହ ଘଟଣାର ଅଧିକ ତଦନ୍ତ ଜାରି ରଖିଛି। ବାଇକ ଆରୋହୀ ମାନେ ବାଙ୍କପାଟୁଳି ହାଟରୁ ରଙ୍ଗ ରୁଟ୍ ରେ ଆସୁଥିବା ବେଳେ କାର ଟି ସେମାନଙ୍କୁ ମୁହାଁ ମୁହିଁ ଧକ୍କା ଦେଇଥିଲା। ଦୁର୍ଘଟଣା ଘଟାଇ କାର ଚାଳକ ଫେରାର ହୋଇ ଯାଇଥିବା ବେଳେ, କାର ରେ ଥିବା ୨ ମହିଳା ମଧ୍ୟ ଆହତ ହୋଇଛନ୍ତି।
