ନୂଆଦିଲ୍ଲୀ: ଦେଶରେ ଦରଦାମ କ୍ରମାଗତ ଭାବେ ବଢ଼ି ଚାଲିଛି। ସେପ୍ଟେମ୍ବରରେ ଖୁଚୁରା ମୁଦ୍ରାସ୍ଫୀତି ୦.୭୨ ପ୍ରତିଶତ ବଢ଼ି ୫.୫୪ ପ୍ରତିଶତରେ ପହଞ୍ଚି ଯାଇଛି। ଅଗଷ୍ଟରେ ଏହା ୪.୮୨ ପ୍ରତିଶତ ଥିଲା। ଜାତୀୟ ପରିସଂଖ୍ୟାନ କାର୍ଯ୍ୟାଳୟ (ଏନଏସଓ) ପକ୍ଷରୁ ସୋମବାର ଏହି ସୂଚନା ଦିଆଯାଇଛି। ସୂଚନା ଅନୁଯାୟୀ, ସେପ୍ଟେମ୍ବରରେ ଖାଦ୍ୟ ପଦାର୍ଥ ସାମଗ୍ରୀର ମୁଦ୍ରାସ୍ଫୀତି ୫.୯୭ ପ୍ରତିଶତରୁ ବଢ଼ି ୭.୭୪ ପ୍ରତିଶତ ହୋଇଯାଇଛି। ଏହା ଗ୍ରାମାଞ୍ଚଳରେ ୮.୦୬ ପ୍ରତିଶତ ଓ ସହରରେ ୭.୧୮ ପ୍ରତିଶତ ରହିଛି। ସେହିପରି ସହରରେ ମୁଦ୍ରାସ୍ଫୀତି ୪.୩୧ ପ୍ରତିଶତରୁ ବୃଦ୍ଧି ପାଇ ୪.୮୮ ପ୍ରତିିଶତରେ ପହଞ୍ଚି ଯାଇଛି। ଗ୍ରାମାଞ୍ଚଳରେ ଏହା ୫.୨୪ରୁ ୬.୦୮ ପ୍ରତିଶତରେ ପହଞ୍ଚିଛି। କଞ୍ଜୁମର ଫୁଡ ପ୍ରାଇସ (ସିପିଆଇ-ସାଧାରଣ) ସୂଚକାଙ୍କ ୧୦୮.୭୪ରୁ ବୃଦ୍ଧି ପାଇ ୧୦୯.୪୯ରେ ପହଞ୍ଚିଛି। ନିତ୍ୟ ବ୍ୟବହୃତ ୪ଟି ସାମଗ୍ରୀର ମୁଦ୍ରାସ୍ପୀତି ସର୍ବାଧିକ ରହିଛି। ପିଆଜ ଦର ଦୁଇ ଗୁଣା ହୋଇଯାଇଛି। ଏହାର ମୁଦ୍ରାସ୍ଫୀତି ସର୍ବାଧିକ ୧୦୮.୦୯ ପ୍ରତିଶତ ରହିଛି। ଅଗଷ୍ଟରେ ଏହା ୪୮.୭୮ ପ୍ରତିଶତ ଥିଲା। ସେହିପରି ଅଦା ମୁଦ୍ରାସ୍ଫୀତି ୬୨.୮୫ ପ୍ରତିଶତ, ରସୁଣ ୫୪.୬୨ ପ୍ରତିଶତ ଓ ଲେମ୍ବୁ ୩୬.୪୧ ପ୍ରତିଶତରେ ପହଞ୍ଚି ଯାଇଛି। ଏହା ବ୍ୟତୀତ ରୁପା ଅଳଙ୍କାର ମୁଦ୍ରାସ୍ଫୀତି ୮୭.୮ ପ୍ରତିଶତ ରହିଛି। ସେହିପରି ମିଳିତ ସିଏଫପିଆଇ ସୂଚକାଙ୍କ ୧୧୦.୭୩ରୁ ବୃଦ୍ଧି ପାଇ ୧୧୨.୧୭ରେ ପହଞ୍ଚି ଯାଇଛି। ଅନ୍ୟପକ୍ଷରେ ରାଜ୍ୟ ହିସାବରେ ତାମିଲନାଡୁର ମୁଦ୍ରାସ୍ଫୀତି ଅଧିକ ରହିଛି। ଏହା ୬.୮୧ ପ୍ରତିିଶତ ଅଛି। ଏହା ପଛକୁ ୬.୭୦ ପ୍ରତିଶତ ସହ ଓଡ଼ିଶା ରହିଛି। ମଧ୍ୟପ୍ରଦେଶରେ ଏହା ୬.୬୮ ଅଛି।
ଆଳୁ, ପିଆଜ, ଟମାଟୋ ଭଳି ପନିପରିବା ଓ ଖାଦ୍ୟପଦାର୍ଥ ମୂଲ୍ୟ କ୍ରମାଗତ ଭାବେ ବଢ଼ି ଚାଲିଥିଲା। ମଧ୍ୟପ୍ରାଚ୍ୟରେ ଉତ୍ତେଜନା ପାଇଁ ଅଶୋଧିତ ତୈଳ ମଧ୍ୟ ମହଙ୍ଗା ହୋଇଛି। ଏହି ସବୁ କାରଣରୁ କ୍ରମାଗତ ୧୧ ମାସ ହେଲା ମୁଦ୍ରାସ୍ଫୀତି ବଢ଼ି ଚାଲିଛି। ଏହା ଲୋକଙ୍କ ପକେଟ ଉପରେ ଚାପ ବଢ଼ାଇ ଚାଲିଛି। ସବୁ ସାମଗ୍ରୀର ଦରଦାମ ବଢ଼ି ଚାଲି ଥିବାରୁ ସଞ୍ଚୟ ହ୍ରାସ ପାଇ ଚାଲିଛି। ପାର୍ବଣ ଋତୁରେ ଏହା ଲୋକଙ୍କ ଉପରେ ଚାପ ବଢ଼ାଇଛି। ଗତ ୨୦ ଦିନରେ ଚିନି ୧୦.୧୬ ପ୍ରତିଶତ, କ୍ଷୀର ୬.୧୨ ପ୍ରତିଶତ, ଡାଲି ୪.୬୮ ପ୍ରତିଶତ, ଅଟା ୬.୬୭ ପ୍ରତିଶତ ପର୍ଯ୍ୟନ୍ତ ମହଙ୍ଗା ହେଲାଣି। ସ୍ଥିତି ନିୟନ୍ତ୍ରଣକୁ ନ ଆସିଲେ ଆଗାମୀ ଦିନରେ ଆହୁରି ଦରଦାମ ବୃଦ୍ଧି ପାଇପାରେ।