ମାଲକାନଗିରି : ମାଲକାନଗିରି ଛତିଶଗଡ଼ ସୀମାନ୍ତ ବିଜାପୁର ପୁଲିସ ନିକଟରେ ୬ ଜଣ ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ କରିଛନ୍ତି। ଏମାନଙ୍କ ମଧ୍ୟରେ ଓଡିଶାରେ ସକ୍ରିୟ ଥିବା ୪ ଜଣ ଓ ପଶ୍ଚିମ ବସ୍ତର ଡିଭିଜନର ୨ ଜଣ ହାର୍ଡକୋର ମାଓବାଦୀ ରହିଛନ୍ତି। ଓଡିଶା କ୍ୟାଡରର ୪ ଜଣ ମାଓବାଦୀ ନକ୍ସଲ ସଙ୍ଗଠନରେ PPCM ସଦସ୍ୟ ଭାବେ କାର୍ଯ୍ୟ କରୁଥିଲେ। ସେମାନଙ୍କ ନାମରେ ପୁଲିସ ୩୫ ଲକ୍ଷ ଟଙ୍କାର ପୁରସ୍କାର ଘୋଷଣା କରିଥିଲା। ଏମାନେ ଦୀର୍ଘ ବର୍ଷ ଧରି ମାଓ ସଙ୍ଗଠନରେ ସକ୍ରିୟ ରହିଥିବା ବେଳେ ଓଡିଶାରେ ଅନେକ ହିଂସାକାଣ୍ଡ ଘଟାଇଛନ୍ତି। ଓଡିଶାରେ ତାଙ୍କର ଶେଷ ଠିକଣା ଗଜପତି ଜିଲ୍ଲା ଥିଲା ବୋଲି ବିଜାପୁର ଏସପି କହିଛନ୍ତି। ତେବେ ଛତିଶଗଡ଼ ସରକାରଙ୍କ ଆତ୍ମସମର୍ପଣ ନୀତିରେ ଆକର୍ଷିତ ହୋଇ ବିଜାପୁର SPଙ୍କ ନିକଟରେ ଏମାନେ ଆତ୍ମସମର୍ପଣ କରିଛନ୍ତି। ଆତ୍ମସମର୍ପଣ କରିଥିବା ସମସ୍ତ ମାଓବାଦୀଙ୍କୁ ୫୦ ହଜାର ଟଙ୍କାର ଚେକ୍ ପ୍ରଦାନ କରାଯାଇଥିବା ବେଳେ ଛତିଶଗଡ଼ ପୁଲିସର ଆତ୍ମସମର୍ପଣ ନୀତି ଅନୁସାରେ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିବା ପାଇଁ ସବୁ ପ୍ରକାର ସାହାଯ୍ୟ ଓ ସହଯୋଗ ଯୋଗାଇ ଦିଆଯିବ ବୋଲି ବିଜାପୁର SP କହିଛନ୍ତି।