ବେଳପଡ଼ା: ବଲାଙ୍ଗୀର ଜିଲ୍ଲା ବେଳପଡ଼ା ବ୍ଲକ ଥୁଡିବାହାଲ ଆଞ୍ଚଳିକ ସାଧନା କେନ୍ଦ୍ର ପକ୍ଷରୁ ଆଜି ଝାଙ୍କ୍ରିପାଲି ସରକାରୀ ପ୍ରାଥମିକ ବିଦ୍ୟାଳୟ ଠାରେ ଆଞ୍ଚଳିକ ସାଧନା କେନ୍ଦ୍ର ସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି-୨୦୨୬’ ଆୟୋଜିତ ହୋଇଯାଇଛି। ଏଥିରେ ସାଧନା କେନ୍ଦ୍ର ଅଧୀନରେ ଥିବା ସମସ୍ତ ବିଦ୍ୟାଳୟର ଛାତ୍ରଛାତ୍ରୀ ଯୋଗଦେଇ ନିଜ ପ୍ରତିଭା ପ୍ରଦର୍ଶନ କରିଥିଲେ।ମହୋତ୍ସବରେ କୁଇଜ୍, ରଚନା, ଶ୍ରୁତିଲିଖନ, ବକ୍ତୃତା, ସଙ୍ଗୀତ, ନୃତ୍ୟ ସମେତ ବିଭିନ୍ନ ଶିକ୍ଷାମୂଳକ ଓ ସାଂସ୍କୃତିକ ପ୍ରତିଯୋଗିତା ହୋଇଥିଲା। ଛାତ୍ରଛାତ୍ରୀମାନେ ଉତ୍ସାହର ସହ ଏଥିରେ ଭାଗନେଇ ନିଜର ଜ୍ଞାନ, ସୃଜନଶୀଳତା ଓ କଳାନୈପୁଣ୍ୟ ପ୍ରଦର୍ଶନ କରିଥିଲେ।କାର୍ଯ୍ୟକ୍ରମରେ ସାଧନା କେନ୍ଦ୍ରର ସମ୍ପାଦକ ଶ୍ରୀ ବି.ପି. ସିଂ ମୁଖ୍ୟ ଅତିଥି ଭାବେ ଯୋଗଦେଇ ନିଜ ଉଦ୍‌ବୋଧନରେ କହିଥିଲେ ଯେ, ଶିଶୁମାନଙ୍କ ମଧ୍ୟରେ ଲୁକ୍କାୟିତ ପ୍ରତିଭାର ବିକାଶ ଓ ଆତ୍ମବିଶ୍ୱାସ ବୃଦ୍ଧି କରିବାରେ ‘ସୁରଭି’ ଭଳି କାର୍ଯ୍ୟକ୍ରମର ଗୁରୁତ୍ୱ ଅଧିକ। ପାଠପଢ଼ା ସହିତ ସହପାଠ୍ୟକ୍ରମ ଓ ସାଂସ୍କୃତିକ କାର୍ଯ୍ୟକଳାପରେ ଭାଗନେଇ ଛାତ୍ରଛାତ୍ରୀମାନେ ନିଜର ଦକ୍ଷତା ବିକଶିତ କରିବା ସହ ଭବିଷ୍ୟତରେ ଜଣେ ଦାୟିତ୍ୱବାନ ନାଗରିକ ହେବାକୁ ଉଦ୍ୟମ କରିବା ଉଚିତ ବୋଲି ସେ ମତ ଦେଇଥିଲେ।ଅନ୍ୟ ଅତିଥିଙ୍କ ମଧ୍ୟରେ ଶ୍ରୀ ଅଶୋକ କୁମାର ବେହେରା, ଶଶିଭୂଷଣ ମେହେର, ଲଲିତ ମାଝୀ, ଲଲିତ ବିଶ୍ୱାଳ, ସୁରେଶ ମାଝୀ, ଗୁପ୍ତେଶ୍ୱରୀ ସାହୁ, ଅମିନ ମାଝୀ, ଭୁବନ ଧରୁଆ ଓ ମୁକେଶ ଖମାରୀ ସୁରେଶ ମାଝୀଙ୍କ ସମେତ ଅନ୍ୟାନ୍ୟ ଶିକ୍ଷକ ଯୋଗଦେଇଥିଲେ। ଏହି ମହୋତ୍ସବ ଶିଶୁମାନଙ୍କ ପ୍ରତିଭା ବିକାଶ ଓ ସାଂସ୍କୃତିକ ଚେତନାର ପ୍ରସାର ପାଇଁ ଏକ ଉତ୍ତମ ମଞ୍ଚ ସାଜିଥିଲା ।