ଧର୍ମଗଡ: ୨୬ ନମ୍ୱର୍ ଜାତୀୟ ରାଜପଥ ମୋଟେର ଛକରେ ଆଜି ଏକ ବାଲି ବୋଝେଇ ଟ୍ରାକ୍ଟର ଧକ୍କାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି। ମୃତକ ମୋଟେର ପଞ୍ଚାୟତ ବାଟିଗୁଡ଼ା ଗ୍ରାମର ନରେନ୍ଦ୍ର ନାଗଙ୍କ ସ୍ତ୍ରୀ ଦେବନ୍ତି ନାଗ। ଦେବନ୍ତି ତାଙ୍କ ଅସୁସ୍ଥ ଶିଶୁ କୁ ଡାକ୍ତରଙ୍କୁ ଦେଖାଇ ସ୍ୱାମୀ ଙ୍କ ସହିତ ବାଇକ୍ ରେ ଘରକୁ ଫେରୁଥିଲେ। ମୋଟେର ଛକରେ ଏକ ଟ୍ରାକ୍ଟର ତାଙ୍କ ବାଇକ୍ କୁ ଧକ୍କା ଦେଇଥିଲା। ଏଥିରେ ଦେବନ୍ତିଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବାବେଳେ ସ୍ୱାମୀ ଓ ଶିଶୁ ଅଳ୍ପକେ ବର୍ତ୍ତିଯାଇଛନ୍ତି। ଦୁର୍ଘଟଣା ପରେ ପରିବାରଲୋକେ କ୍ଷତିପୂରଣ ଦାବିରେ ମୋଟେର ଛକରେ ମୃତଦେହ ରଖି ରାସ୍ତା ଅବରୋଧ କରିଛନ୍ତି। ଫଳରେ ଭବାନୀପାଟଣା ରୁ ଜୟପୁର, ମୁଖୀଗୁଡ଼ା ରାସ୍ତାରେ ଯାତାୟାତ ବାଧାପ୍ରାପ୍ତ ହୋଇଛି। ମୋଟେର ଫାଣ୍ଡି ଓ କୋକସରା ପୁଲିସ ପହଞ୍ଚି ଆଲୋଚନା କରିଥିଲେ ମଧ୍ୟ ଅବରୋଧ ଜାରି ରହିଛି। ପୁଲିସ ଦୁର୍ଘଟଣାଗ୍ରସ୍ତ ଟ୍ରାକ୍ଟର ଓ ଚାଳକଙ୍କୁ ଅଟକ ରଖି ତଦନ୍ତ ଚଳାଇଛି। ଖବର ଲେଖାଯିବା ବେଳକୁ ଜାତୀୟ ରାଜପଥ ଅବରୋଧ ଜାରି ରହିଛି।