ବଲାଙ୍ଗିର : ବଲାଙ୍ଗିର ନୂତନ ବସଷ୍ଟାଣ୍ଡ ପଛପଟ ରାଜୀବନଗର ଉପକଣ୍ଠରେ ବଲାଙ୍ଗିର ଟାଉନ ପୁଲିସ ଚଢ଼ଉ କରି ୨୧.୫ କେଜି ଗଞ୍ଜେଇ ସହ ଏକ ବନ୍ଧୁକ ଜବତ କରିଛି । ଗଞ୍ଜେଇ ଚାଲାଣ କରୁଥିବା ଅଭିଯୋଗରେ ପୁଲିସ ରାଜୀବନଗରପଡ଼ାର ଜିତେନ୍ଦ୍ର ସାହୁ (୩୩) ଓ ବଲାଙ୍ଗିର ସଦର ଥାନା ବକ୍ସିଉଡ଼ାର ଗାଁ’ର ମୌସମ ତ୍ରିପାଠୀ (୨୬)ଙ୍କୁ ଗିରଫ କରିଛି ।ଟାଉନ ପୁଲିସ ସୂଚନା ଅନୁସାରେ, ଆଜି ଅପରାହ୍ଣ ପ୍ରାୟ ୧୨ଟା ୩୦ରେ ଟାଉନ ଥାନା ଏସ୍‌ଆଇ ବିଶାଖା ନାଏକଙ୍କ ନେତୃତ୍ବରେ ପୁଲିସ ପକ୍ଷରୁ ପାଟ୍ରୋଲିଂ କରାଯାଉଥିଲା । ରାଜୀବନଗର ଉପକଣ୍ଠ ନୂତନ ବସଷ୍ଟାଣ୍ଡ ପଛପଟେ ୨ଜଣ ଦୁର୍ବୃତ୍ତ ଗଞ୍ଜେଇ କାରବାର ଚଳାଇଥିବା ନେଇ ସୂଚନା ମିଳିଥିବା ଏସ୍‌ଆଇ ବିଶାଖା ଟାଉନ ଥାନା ଅଧିକାରୀଙ୍କୁ ଅବଗତ କରାଇଥିଲେ। ଟାଉନ ଥାନା ଅଧିକାରୀ ଅବନୀ ସାହୁଙ୍କ ନିର୍ଦେଶକ୍ରମେ ପୁଲିସ ଘଟଣାସ୍ଥଳରେ ଚଢ଼ଉ କରି ଗଞ୍ଜେଇ ସହ ଏକ ଦେଶୀ ବନ୍ଧୁକ ଓ ୨ଟି ମୋବାଇଲ ଜବତ କରିଛି। ଗଞ୍ଜେଇ ଚାଲାଣ ଅଭିଯୋଗରେ ଜିତେନ୍ଦ୍ର ଓ ମୌସମଙ୍କୁ ଗିରଫ କରାଯାଇଛି । ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଜବତ ଗଞ୍ଜେଇ ଓଜନ କରାଯିବାରୁ ତାହା ୨୧.୫ କେଜି ହୋଇଥିବା ଜଣାପଡ଼ିଛି । ଜବତ ଗଞ୍ଜେଇର ଆନୁମାନିକ ବଜାର ମୂଲ୍ୟ ପ୍ରାୟ ୧୦.୫ ଲକ୍ଷରୁ ଅଧିକ ବୋଲି ପୁଲିସ ସୂଚନା ଦେଇଛି। ଅଭିଯୁକ୍ତ ଜିତେନ୍ଦ୍ର ବିରୋଧରେ ବଲାଙ୍ଗିର ଟାଉନ ଥାନାରେ ପୂର୍ବରୁ ୪ଟି ଅପରାଧିକ ମାମଲା ରହିଥିବା ବେଳେ ଅଭିଯୁକ୍ତ ମୌସମ ବିରୋଧରେ ଟାଉନ ଥାନାରେ ଗୋଟିଏ ଓ ବଲାଙ୍ଗିର ସଦର ଥାନାରେ ଗୋଟିଏ ମାମଲା ରହିଥିବା ଟାଉନ ପୁଲିସ ସୂଚନା ଦେଇଛି । ବୌଦ୍ଧ ଜିଲା କଣ୍ଟାମାଳ ଅଞ୍ଚଳରୁ ଗଞ୍ଜେଇ ଆଣି ଦୁର୍ବୃତ୍ତମାନେ ବଲାଙ୍ଗିର ନୂତନ ବସଷ୍ଟାଣ୍ଡ ପଛପଟେ ମାଫିଆଙ୍କୁ ହସ୍ତାନ୍ତର କରିବା ପୂର୍ବରୁ ପୁଲିସ ହାତରେ ଧରାପଡ଼ିଥିବା ଜଣାପଡ଼ିଛି । ପୁଲିସ ଅଭିଯୁକ୍ତଙ୍କ ଜବତ ମୋବାଇଲ ଯାଞ୍ଚ ପରେ ଏମାନେ କେଉଁଠାରୁ ଗଞ୍ଜେଇ ଆଣି କାହାକୁ ଦେଇଥାନ୍ତେ ତାହା ଜଣାପଡ଼ିବ ବୋଲି ସଂଧ୍ୟାରେ ଟାଉନ ଥାନାରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ବଲାଙ୍ଗିର ଏସ୍‌ଡିପିଓ ସରୋଜ ଉପାଧ୍ୟାୟ ସୂଚନା ଦେଇଛନ୍ତି । ଗିରଫ ଦୁଇ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ ସହ ଏସ୍‌ଆଇ ଚର୍ଚ୍ଚିଲ କୁମାର ମହାପାତ୍ର ମାମଲା ତଦନ୍ତ କରୁଥିବା ଥାନା ଅଧିକାରୀ ଶ୍ରୀ ସାହୁ ପ୍ରକାଶ କରିଛନ୍ତି । ଥାନା ଅଧିକାରୀ ଇନ୍ସପେକ୍ଟର ଅବନୀ ସାହୁ, ଏସ୍‌ଆଇ ବିଶାଖା ନାଏକ, ଏଏସ୍‌ଆଇ ଦିଲୀପ କୁମାର ଡାଙ୍ଗ, ଏଏସ୍‌ଆଇ ବୈକୁଣ୍ଠ ଦେହେରୀ, ଏଏସ୍‌ଆଇ ଖିତେଶ୍ବର ପାଣ୍ଡେ, ହାବିଲଦାର ଜେ. ମୁଗ୍ରୀଙ୍କ ସହ ଅନ୍ୟ ପୁଲିସ କର୍ମଚାରୀ ସାମିଲ ଥିଲେ।