ନୂଆଦିଲ୍ଲୀ : ବଲିଉଡ୍ ଅଭିନେତା ରାଜପାଲ ଯାଦବଙ୍କ ସମସ୍ୟା ବଢ଼ିବାରେ ଲାଗିଛି। ସୁପ୍ରିମକୋର୍ଟରୁ ଗାଳି ଶୁଣିବା ପରେ ବି ଅଭିନେତା ସୁଧୁରିବାର ନା ଧରୁନାହାନ୍ତି। ଏବେ ୨୫ ଲକ୍ଷ ଟଙ୍କାର ଚେକ୍ ବାଉନ୍ସ ମାମଲାରେ କୋର୍ଟ ତାଙ୍କ ବିରୋଧରେ ଜାମିନ ବିହୀନ ଗିରଫ ପରୱାନା (ଏନବିଡବ୍ଲ୍ୟୁ) ଜାରି କରିଛନ୍ତି। ଅନେକ ଥର ଶୁଣାଣି ସମୟରେ ରାଜପାଲ କୋର୍ଟରେ ହାଜର ହୋଇ ନଥିଲେ। ଏହା ପୂର୍ବରୁ ମଧ୍ୟ ତାଙ୍କ ବିରୋଧରେ ଜାମିନଯୋଗ୍ୟ ପରୱାନା ଜାରି ହୋଇଥିଲା। ଏହା ସତ୍ତ୍ୱେ ସେ କୋର୍ଟରେ ହାଜର ହୋଇ ନଥିଲେ। ଏବେ ରାଜପାଲଙ୍କୁ ଗିରଫ କରିବାକୁ କୋର୍ଟ ମୁମ୍ବଇ ପୁଲିସକୁ ନିର୍ଦେଶ ଦେଇଛନ୍ତି। ଆଗାମୀ ଶୁଣାଣି ପୂର୍ବରୁ ତାଙ୍କୁ କୋର୍ଟରେ ହାଜର କରାଇବାକୁ ମଧ୍ୟ କହିଛନ୍ତି। ଏହି ମାମଲା ମହୁ ନିବାସୀ ଫିଲ୍ମ ଫାଇନାନ୍ସର ପ୍ରକାଶ ଜାଜୁଙ୍କ ଅଭିଯୋଗ ସହ ଜଡ଼ିତ। ଅଭିଯୋଗ ଅନୁଯାୟୀ, ରାଜପାଲ ଯାଦବ ଓ ପ୍ରକାଶ ଜାଜୁଙ୍କ ମଧ୍ୟରେ ୨୫ ଲକ୍ଷ ଟଙ୍କାର କାରବାର ହୋଇଥିଲା। ଏହି ଟଙ୍କା ଫେରସ୍ତ କରିବା ପାଇଁ ରାଜପାଲ ଚେକ୍ ଦେଇଥିଲେ, ଯାହା ପରେ ବାଉନ୍ସ ହୋଇଯାଇଥିଲା। ଏହାକୁ ନେଇ ଜାଜୁ କୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ଅଭିଯୋଗକାରୀଙ୍କ ଓକିଲ ରାଧେଶ୍ୟାମ ଅଗ୍ରୱାଲଙ୍କ କହିଛନ୍ତି ଯେ ଏହା ପରେ ରାଜପାଲ ଯାଦବ ମୁମ୍ବଇ ପୁଲିସ ସମ୍ମୁଖରେ ହାଜର ହୋଇଥିଲେ। ସେ ନିର୍ଦ୍ଧାରିତ ତାରିଖରେ କୋର୍ଟରେ ହାଜର ହୋଇ ଜାମିନ କରାଇନେବେ ବୋଲି ଭରସା ଦେଇଥିଲେ। ମାତ୍ର ସେ କୋର୍ଟରେ ହାଜର ହୋଇ ନଥିଲେ କି ଜାମିନ ଆବେଦନ ଦାଖଲ କରି ନଥିଲେ। କ୍ରମାଗତ ଭାବେ ଅନୁପସ୍ଥିତ ରହିବାରୁ କୋର୍ଟ ଘଟଣାକୁ ଗୁରୁତ୍ୱର ସହ ନେଇଥିଲେ। ଏହା ପରେ ପ୍ରଥମ ଶ୍ରେଣୀ ନ୍ୟାୟିକ ମାଜିଷ୍ଟ୍ରେଟ୍ ଫରହାନ୍ ଏମ୍. କୁରେଶୀଙ୍କ କୋର୍ଟ ତାଙ୍କ ବିରୋଧରେ ଗିରଫ ପରୱାନା ଜାରି କରିଥିଲେ। ଗିରଫ ସୁନିଶ୍ଚିତ କରିବା ପାଇଁ କୋର୍ଟ ମୁମ୍ବଇ ପୁଲିସକୁ ନିର୍ଦେଶ ଦେଇଛନ୍ତି।
