ନୂଆଦିଲ୍ଳୀ : ଦୀପାବଳି ପୂର୍ବରୁ ପଞ୍ଜାବର ରାଜପୁରାରେ ଏକ ବଡ଼ ଦୁର୍ଘଟଣା ଘଟିଛି। ରିପୋର୍ଟ ଅନୁଯାୟୀ, ଅମୃତସରରୁ ନ୍ୟୁ ଜଲପାଇଗୁଡ଼ି ଯାଉଥିବା କର୍ମଭୂମି ଏକ୍ସପ୍ରେସ୍ ଟ୍ରେନ୍ (୧୨୫୦୮)ର ଚାରୋଟି ବଗିରେ ନିଆଁ ଲାଗିଯାଇଥିଲା। ନିଆଁ ଲାଗି ଖୁବ୍ ଜୋରରେ ଧୂଆଁ ବାହାରୁଥିବା ଭିଡିଓ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ୍ ମଧ୍ୟ ହେଉଛି। ରିପୋର୍ଟ ଅନୁଯାୟୀ, ଅମୃତସରରୁ ନ୍ୟୁ ଜଲପାଇଗୁଡ଼ି ଯାଉଥିବା କର୍ମଭୂମି ଏକ୍ସପ୍ରେସର ଚାରୋଟି ବଗି ପଞ୍ଜାବର ରାଜପୁରାର ସରାଇ ବଞ୍ଜାରା ଷ୍ଟେସନ ନିକଟରେ ନିଆଁ ଲାଗିଯାଇଥିଲା।
ଉତ୍ତର ରେଳବାଇର ମୁଖ୍ୟ ଜନସମ୍ପର୍କ ଅଧିକାରୀ (ସିପିଆରଓ) ହିମାଂଶୁ ଶେଖର ଉପାଧ୍ୟାୟ କହିଛନ୍ତି, “ଅମ୍ବାଲା ଡିଭିଜନର ସରାଇ ବଞ୍ଜାରା ଷ୍ଟେସନ ନିକଟରେ ଅମୃତସରରୁ ନ୍ୟୁ ଜଲପାଇଗୁଡ଼ି ଯାଉଥିବା ୧୨୫୦୮ କର୍ମଭୂମି ଏକ୍ସପ୍ରେସର ଚାରୋଟି ବଗିରେ ନିଆଁ ଲାଗିଯାଇଥିଲା। ସୁରକ୍ଷା ବ୍ୟବସ୍ଥାର ସକ୍ରିୟତା ଯୋଗୁଁଁ ଟ୍ରେନକୁ ବନ୍ଦ କରିଦିଆଯାଇଥିଲା। ନିଆଁକୁ ନିୟନ୍ତ୍ରଣ କରିବା ପାଇଁ ପ୍ରୟାସ ଚାଲିଛି। ସମସ୍ତ ବରିଷ୍ଠ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚିଛନ୍ତି। ଏହି ଘଟଣାରେ ବର୍ତ୍ତମାନ କୌଣସି ଆହତ, ଅନ୍ୟାନ୍ୟ କ୍ଷତି କିମ୍ବା ଜୀବନହାନିର ରିପୋର୍ଟ ନାହିଁ।” ଅଗ୍ନିକାଣ୍ଡ ଘଟିବା ସମୟରେ ଟ୍ରେନଟି ଟ୍ରାକ ଉପରେ ଚାଲୁଥିବା ଜଣାପଡ଼ିଛି। ଧୂଆଁ ଉଠିବା ଯୋଗୁଁଁ ଟ୍ରେନରେ ଥିବା ଯାତ୍ରୀମାନଙ୍କ ମଧ୍ୟରେ ଆତଙ୍କ ଖେଳି ଯାଇଥିଲା, ନିଜ ଜୀବନ ବଞ୍ଚାଇବା ପାଇଁ ଅନ୍ୟ ବଗି ଗୁଡ଼ିକ ପାଖକୁ ଦୌଡ଼ିବାକୁ ଲାଗିଲେ। ଚେନ୍ ଟାଣି ଟ୍ରେନକୁ ଅଟକାଯାଇଥିଲା ଏବଂ ଯାତ୍ରୀମାନେ ବାହାରକୁ ବାହାରି ଆସିବାରେ ସକ୍ଷମ ହୋଇଥିଲେ। ସୋସିଆଲ ମିଡିଆରେ ପ୍ରସାରିତ ଏକ ଭିଡିଓରେ ଦେଖାଯାଉଛି ଯେ ଟ୍ରେନଟି ଏକ କ୍ଷେତ ଦେଇ ଯାଉଥିବା ଏକ ଟ୍ରାକରେ ଅଟକି ଯାଇଛି, ଏବଂ ଟ୍ରେନରୁ ଧୂଆଁ ବାହାରୁଥିବା ଦେଖୁଥିବା ଲୋକଙ୍କ ଭିଡ଼ ଦେଖାଯାଉଛି। ଏପର୍ଯ୍ୟନ୍ତ କୌଣସି ମୃତାହତର ଖବର ମିଳିନାହିଁ।
