ଭୁବନେଶ୍ବର: ପ୍ରତିରକ୍ଷା କ୍ଷେତ୍ରରେ ଭାରତକୁ ମିଳିଛି ଆଉ ଏକ ବଡ଼ ସଫଳତା। ପ୍ରତିରକ୍ଷା ଗବେଷଣା ଓ ବିକାଶ ସଂଗଠନ ପକ୍ଷରୁ ଓଡ଼ିଶା ଉପକୂଳ ନିକଟସ୍ଥ ଡକ୍ଟର ଏପିଜେ ଅବଦୁଲ କଲାମ ଦ୍ୱୀପରୁ କ୍ୱାସି-ବାଲିଷ୍ଟିକ୍ ମିସାଇଲ୍ ‘ପ୍ରଳୟ’ର ସଫଳ ପରୀକ୍ଷଣ କରାଯାଇଛି। ଚାନ୍ଦିପୁରସ୍ଥିତ ଇଣ୍ଟିଗ୍ରେଟେଡ୍ ଟେଷ୍ଟ ରେଞ୍ଜରେ ଲଗାଯାଇଥିବା ବିଭିନ୍ନ ଅତ୍ୟାଧୁନିକ ଉପକରଣରୁ ମିଳିଥିବା ତଥ୍ୟ ଅନୁଯାୟୀ, ପରୀକ୍ଷଣର ସମସ୍ତ ନିର୍ଦ୍ଧାରିତ ଲକ୍ଷ୍ୟ ସଫଳତାର ସହ ପୂରଣ ହୋଇଛି। ପ୍ରତିରକ୍ଷା ମନ୍ତ୍ରଣାଳୟ ଅନୁସାରେ, ଏହି ପରୀକ୍ଷଣ ୟୁଜର୍ ଇଭାଲୁଏସନ୍ ଟ୍ରାଏଲ୍ ବା ଉପଭୋକ୍ତା ମୂଲ୍ୟାଙ୍କନ ପରୀକ୍ଷଣର ଅଂଶବିଶେଷ ଥିଲା। ଏହି ସମୟରେ ଡିଆରଡିଓର ବରିଷ୍ଠ ଅଧିକାରୀ, ଶିଳ୍ପ ଜଗତର ପ୍ରତିନିଧି ଏବଂ ପ୍ରତିରକ୍ଷା ବାହିନୀର ଅଧିକାରୀମାନେ ଉପସ୍ଥିତ ଥିଲେ। ଏହି ସଫଳ ପରୀକ୍ଷଣ ପରେ ଭାରତୀୟ ସଶସ୍ତ୍ର ବାହିନୀରେ ‘ପ୍ରଳୟ’ ମିସାଇଲ୍ ସାମିଲ ହେବାର ରାସ୍ତା ଅଧିକ ସୁଗମ ହୋଇଛି। ଏହି ସଫଳତା ପାଇଁ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଡିଆରଡିଓ ଟିମ୍କୁ ଅଭିନନ୍ଦନ ଜଣାଇଛନ୍ତି। ସେ କହିଛନ୍ତି, ଏହି ସଫଳ ପରୀକ୍ଷଣ ଦେଶର ସ୍ୱଦେଶୀ ପ୍ରତିରକ୍ଷା କ୍ଷମତାକୁ ଆହୁରି ମଜବୁତ କରିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ଉପଲବ୍ଧି।
