ନୂଆଦିଲ୍ଲୀ : ବାୟୁ ପ୍ରଦୂଷଣ ଦେଶରେ ସାଙ୍ଘାତିକ ସ୍ଥିତି ସୃଷ୍ଟି କରିଛି। ଏହା ପ୍ରଭାବରେ ଅକାଳରେ ଜୀବନ ଚାଲି ଯାଉଛି। ପ୍ରଦୂଷଣ ଜୀବନ ସହିତ ଜୀବିକାକୁ ବିପର୍ଯ୍ୟସ୍ତ କରିଦେଉଛି। ଦେଶର ମୋଟ ଘରୋଇ ଉତ୍ପାଦ (ଜିଡିପି) ଉପରେ ମଧ୍ୟ ପ୍ରଭାବ ପକାଉଛି। ଭାରତରେ ବାୟୁ ପ୍ରଦୂଷଣ ଯୋଗୁଁ ପ୍ରତି ମିନିଟ୍ରେ ପ୍ରାୟ ୪ ଜଣଙ୍କ ମୃତ୍ୟୁ ହେଉଛି। ଅର୍ଥାତ୍ ପ୍ରତିଦିନ ୫,୫୦୦ରୁ ଅଧିକ ଓ ବର୍ଷକୁ ୨୦ ଲକ୍ଷରୁ ଅଧିକ ଲୋକଙ୍କ ଜୀବନ ଯାଉଛି। ‘ଷ୍ଟେଟ୍ ଅଫ୍ ଗ୍ଲୋବାଲ୍ ଏୟାର ୨୦୨୫’ ରିପୋର୍ଟରେ ଏହି ତଥ୍ୟ ପ୍ରକାଶ ପାଇଛି।
ଦିଲ୍ଲୀ ସମେତ ଉତ୍ତର ଭାରତର ଅନେକ ଅଞ୍ଚଳରେ ପୁଣି ଶୀତ ଋତୁ ପ୍ରାରମ୍ଭରୁ ପ୍ରଦୂଷଣ ସମସ୍ୟା ଆରମ୍ଭ ହୋଇଯାଇଛି। ଏଥିଯୋଗୁଁ ସ୍ଥିତି ଅଧିକ ଚିନ୍ତାଜନକ ହୋଇପଡ଼ିଛି। କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (ସିପିସିବି) ରିପୋର୍ଟ ଅନୁଯାୟୀ, ବୁଧବାର ଦିଲ୍ଲୀର ବାୟୁ ଗୁଣବତ୍ତା ସୂଚକାଙ୍କ (ଏକ୍ୟୁଆଇ) ୩୭୭ରେ ପହଞ୍ଚି ଥିଲା। ଏହା ‘ଅତ୍ୟନ୍ତ ଖରାପ’ ଶ୍ରେଣୀରେ ରହିଥିଲା। ଗତ ୧୦ ମାସ ମଧ୍ୟରେ ଏହା ସର୍ବାଧିକ। ତେବେ ବାୟୁ ପ୍ରଦୂଷଣ ସମସ୍ୟା କେବଳ ଶୀତ ଋତୁର କିଛି ସପ୍ତାହ ମଧ୍ୟରେ ସୀମିତ ନୁହେଁ। ଏହା ବର୍ଷସାରା ଲାଗି ରହୁଛି। ଏହା ଜନସ୍ୱାସ୍ଥ୍ୟ ପ୍ରତି ସଙ୍କଟ ସୃଷ୍ଟି କରୁଛି। ଏହାର ପ୍ରଭାବ ଶ୍ୱାସକ୍ରିୟା ଓ ହୃଦ୍ରୋଗଠାରୁ ଆରମ୍ଭ କରି ମଣିଷର ଆୟୁଷ ହ୍ରାସ ପର୍ଯ୍ୟନ୍ତ ଦେଖିବାକୁ ମିଳୁଛି। ସୂକ୍ଷ୍ମ ଧୂଳିକଣା, ବିଶେଷକରି ପିଏମ ୨.୫ ଫୁସଫୁସରେ ପହଞ୍ଚି ରକ୍ତ ପ୍ରବାହରେ ମିଶିପାରେ। ଦୀର୍ଘ ସମୟ ଧରି ଏହି ପ୍ରଦୂଷିତ ବାୟୁର ସଂସ୍ପର୍ଶରେ ରହିବା ଦ୍ୱାରା ହୃଦ୍ରୋଗ, ଷ୍ଟ୍ରୋକ୍, ଫୁସଫୁସ କର୍କଟ, ସିଓପିଡି ଭଳି ଗୁରୁତର ସ୍ୱାସ୍ଥ୍ୟ ସମସ୍ୟା ଦେଖାଦେବାର ଆଶଙ୍କା ରହିଛି। ଶିଶୁ, ବୟସ୍କ ଓ ଅନ୍ୟ ରୋଗରେ ପୀଡ଼ିତ ବ୍ୟକ୍ତି ଏଥିରେ ବେଶୀ ପ୍ରଭାବିତ ହୋଇପାରନ୍ତି।
ବାୟୁ ପ୍ରଦୂଷଣର ପ୍ରଭାବ ଏବେ ଭାରତର ଅର୍ଥନୀତି ଉପରେ ପଡୁଛି। ପ୍ରଦୂଷଣ ପାଇଁ ଲୋକେ ଅଧିକ ଅସୁସ୍ଥ ହେଉଛନ୍ତି। ଫଳରେ ଡାକ୍ତରଖାନା ଯିବା ସଂଖ୍ୟା ଓ ଚିକିତ୍ସା ଖର୍ଚ୍ଚ ବଢ଼ି ଚାଲିଛି। କାର୍ଯ୍ୟଦିବସ ନଷ୍ଟ ହେଉଥିବାବେଳେ କାର୍ଯ୍ୟକ୍ଷମତା ହ୍ରାସ ପାଉଛି। ଦୀର୍ଘ ସମୟ ଧରି ପ୍ରଦୂଷିତ ବାୟୁ ସଂସ୍ପର୍ଶରେ ରହିବା ଦ୍ୱାରା ମଣିଷର ଆୟୁଷ କମିବା ସହିତ ଶିଶୁମାନଙ୍କ ସ୍ୱାସ୍ଥ୍ୟ ଓ ବିକାଶ ମଧ୍ୟ ପ୍ରଭାବିତ ହେଉଛି। ସେଣ୍ଟର ଫର୍ ରିସର୍ଚ୍ଚ ଅନ୍ ଏନର୍ଜି ଆଣ୍ଡ କ୍ଲିନ୍ ଏୟାର (ସିଆରଇଏ) ପକ୍ଷରୁ ଗ୍ରୀନ୍ପିସ୍ ଓ ଏୟାରଭିଜୁଆଲ୍ ସହଯୋଗରେ ୨୦୨୦ରେ କରାଯାଇଥିବା ଏକ ବିଶ୍ଳେଷଣ ଅନୁଯାୟୀ, ବାୟୁ ପ୍ରଦୂଷଣ ଯୋଗୁଁ ନୂଆଦିଲ୍ଲୀର ବାର୍ଷିକ ଜିଡିପର ୫.୮ ପ୍ରତିଶତ କ୍ଷତି ହୋଇଥିଲା। କେବଳ ୨୦୨୦ର ପ୍ରଥମ ୬ ମାସରେ ରାଜଧାନୀରେ ବାୟୁ ପ୍ରଦୂଷଣ ଯୋଗୁଁ ୩.୫ ବିଲିୟନ ଡଲାର ଅର୍ଥାତ ପ୍ରାୟ ୩୫୦ କୋଟି ଡଲାରର ଆର୍ଥିକ କ୍ଷତି ହୋଇଥିଲା। ବାୟୁ ପ୍ରଦୂଷଣର ଆର୍ଥିକ ବୋଝ କେବଳ ସ୍ୱାସ୍ଥ୍ୟସେବା ଖର୍ଚ୍ଚ ମଧ୍ୟରେ ସୀମିତ ନୁହେଁ। ଏହାର ପ୍ରଭାବ ପରିବାର, ବ୍ୟାବସାୟିକ ସଂସ୍ଥା ଓ ସରକାରୀ ସେବା ଉପରେ ମଧ୍ୟ ପଡ଼ିଥାଏ।
