ନୂଆଦିଲ୍ଲୀ: ଆଇପିଏଲ୍‌ ଫ୍ରାଞ୍ଚାଇଜି ଦିଲ୍ଲୀ କ୍ୟାପିଟାଲ୍‌ସର ମୁଖ୍ୟ ପ୍ରଶିକ୍ଷକ ଭାବେ ପୂର୍ବତନ ଭାରତୀୟ ଅଧିନାୟକ ସୌରଭ ଗାଙ୍ଗୁଲି ନିଯୁକ୍ତ ହୋଇଛନ୍ତି। ଆଗାମୀ ଆଇପିଏଲ ଋତୁରେ ଗାଙ୍ଗୁଲି ଦଳର ମୁଖ୍ୟ ପ୍ରଶିକ୍ଷକ ଦାୟିତ୍ବ ସମ୍ଭାଳିବେ ବୋଲି ମଙ୍ଗଳବାର ଫ୍ରାଞ୍ଚାଇଜି ପକ୍ଷରୁ ଘୋଷଣା କରାଯାଇଛି। ଗାଙ୍ଗୁଲି ଦିଲ୍ଲୀ କ୍ୟାପିଟାଲ୍‌ସର ମୁଖ୍ୟ ପ୍ରଶିକ୍ଷକ ହେମଙ୍ଗ ବଦାନିଙ୍କ ସ୍ଥାନ ନେଇଛନ୍ତି। ବଦାନି ଗତ ଦୁଇ ଋତୁ ହେବ ଦଳର ମୁଖ୍ୟ ପ୍ରଶିକ୍ଷକ ରହିଥିଲେ। ଗାଙ୍ଗୁଲି ପୂର୍ବରୁ ମଧ୍ୟ ଦିଲ୍ଲୀ କ୍ୟାପିଟାଲ୍‌ସ ପରାମର୍ଶଦାତା ରହିଥିଲେ। ଦଳର ପୁରୁଷ ଓ ମହିଳା ଦଳର କ୍ରିକେଟ ନିର୍ଦେଶକ ଭାବେ କାର୍ଯ୍ୟ କରୁଥିବା ଗାଙ୍ଗୁଲି ଏବେ ମୁଖ୍ୟ ପ୍ରଶିକ୍ଷକ ଦାୟିତ୍ବ ତୁଲାଇବେ। ଦିଲ୍ଲୀ କ୍ୟାପିଟାଲ୍‌ସର ଅଧ୍ୟକ୍ଷ ତଥା ସହ ମାଲିକ ପାର୍ଥ ଜିନ୍ଦଲ କହିଛନ୍ତି, ଗାଙ୍ଗୁଲି ଦିଲ୍ଲୀ କ୍ୟାପିଟାଲ୍‌ସ ପରିବାରର ଜଣେ ଗୁରୁତ୍ବୂପୂର୍ଣ୍ଣ ସଦସ୍ୟ। ଭାରତୀୟ କ୍ରିକେଟର ଜଣେ ଶ୍ରେଷ୍ଠ ଅଧିନାୟକ ଏ​‌େ​‌ବ ମୁଖ୍ୟ ପ୍ରଶିକ୍ଷକ ଭାବେ ଦାୟିତ୍ବ ନେଉଥିବାରୁ ମୁଁ ବହୁତ ଖୁସି। ତାଙ୍କ ଅଭିଜ୍ଞତା ଓ ଦୂରଦୃଷ୍ଟି ଦିଲ୍ଲୀ କ୍ୟାପିଟାଲ୍‌ସକୁ ଆଇପିଏଲ୍‌ ଟାଇଟଲ ଜିତାଇବାରେ ସହାୟକ ହେବ ବୋଲି ଆମର ବିଶ୍ବାସ। ସେହିପରି ନୂଆ ଦାୟିତ୍ବ ପରେ ଗାଙ୍ଗୁଲି କହିଛନ୍ତି, ଆଇପିଏଲରେ ମୁଖ୍ୟ ପ୍ରଶିକ୍ଷକ ଭାବେ କାର୍ଯ୍ୟ କରିବାକୁ ଉତ୍ସାହିତ। ଦିଲ୍ଲୀ କ୍ୟାପିଟାଲ୍‌ସ ମୋ ନିଜ ଦଳ। ଅାମ ପାଖରେ ଭଲ ଖେଳାଳି ଅଛନ୍ତି। ଆଗାମୀ ଋତୁରେ ଏକ ଶକ୍ତିଶାଳୀ ଦଳ ଗଠନ ଦିଗରେ କାମକରିବୁ। ଦିଲ୍ଲୀ କ୍ୟାପିଟାଲ୍‌ସ ପ୍ରଶିକ୍ଷକ ସଦସ୍ୟରେ ବଡ଼ ପରିବର୍ତ୍ତନ କରିଛି। ବୋଲିଂ ପ୍ରଶିକ୍ଷକ ମୁନାଫ୍‌ ପଟେଲ, ସହ ପ୍ରଶିକ୍ଷକ ଇଆନ ବେଲ ଓ ନିର୍ଦେଶକ ବେଣୁଗୋପାଳ ରାଓଙ୍କୁ ନ ରଖିବାକୁ ନିଷ୍ପତ୍ତି ନେଇଛି। ଦିଲ୍ଲୀ କ୍ୟାପିଟାଲ୍‌ସର ନୂଆ ପ୍ରଶିକ୍ଷଣ ଷ୍ଟାଫରେ ପୂର୍ବତନ ଅଲରାଉଣ୍ଡର ଯୁବରାଜ ସିଂହ ସାମିଲ ହେବା ନେଇ ଚର୍ଚ୍ଚାହେଉଛି। ସୂଚନାଯୋଗ୍ୟ, ଦିଲ୍ଲୀ କ୍ୟାପିଟା୍‌ଲ୍‌ସ ଗତ ଆଇପିଏଲର ଗତ ୨୦୨୫ରେ ପଞ୍ଚମ ଓ ୨୦୨୬ରେ ଷଷ୍ଠ ସ୍ଥାନରେ ରହିଥିଲା।