ନୂଆଦିଲ୍ଲୀ: ଦିଲ୍ଲୀରେ ନାବାଳିକାଙ୍କୁ ନେଇ ବାରମ୍ବାର ଘଟୁଥିବା ଦୁଷ୍କର୍ମ ମାମଲାକୁ ନେଇ ଉଦ୍ବେଗ ପ୍ରକାଶ କରିବା ସହ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି ସୁପ୍ରିମକୋର୍ଟ। ଦିଲ୍ଲୀ ପୁଲିସ ଏବଂ ସରକାରଙ୍କୁ ସୁପ୍ରିମକୋର୍ଟ କହିଛନ୍ତି ଯେ ଏଭଳି ଘଟଣାଗୁଡ଼ିକ ସାଧାରଣ ନାଗରିକଙ୍କ ସୁରକ୍ଷା ଦେବାରେ ପ୍ରଶାସନିକ ଏବଂ ବ୍ୟବସ୍ଥାଗତ ବିଫଳତାର ପ୍ରମୁଖ ପ୍ରମାଣ ଦେଉଛି। ସୁପ୍ରିମକୋର୍ଟ ବିଚାରପତି ଜଷ୍ଟିସ୍ ଜେ.ବି. ପାର୍ଦିୱାଲାଙ୍କ ନେତୃତ୍ୱରେ ଗଠିତ ଖଣ୍ଡପୀଠ କହିଛନ୍ତି ଯେ, ପାର୍କ କିମ୍ବା ବସ୍ ଭଳି ସାର୍ବଜନୀନ ସ୍ଥାନଗୁଡ଼ିକ ଅତ୍ୟାଧୁନିକ ଆଲୋକୀକରଣ ଏବଂ ସୁରକ୍ଷା ବ୍ୟବସ୍ଥାର ଅଭାବରୁ ସେଗୁଡ଼ିକ ‘ଅତ୍ୟଧିକ ବିପଜ୍ଜନକ ଅଞ୍ଚଳ’ ପାଲଟିଛି। କେବଳ ସମବେଦନା ଜଣାଇଲେ ସମାସ୍ୟାର ସମାଧାନ ହେବ ନାହିଁ, ବରଂ ଏଥିପାଇଁ ଏକ ଦୃଢ଼ ଏବଂ ଠୋସ୍ ପଦକ୍ଷେପ ଆବଶ୍ୟକ ବୋଲି ସୁପ୍ରିମକୋର୍ଟ କଡ଼ା ଆଭିମୁଖ୍ୟ ରଖିଛନ୍ତି। ଅନ୍ୟପଟେ ସୁରକ୍ଷାରେ ତ୍ରୁଟିକୁ ଦୃଷ୍ଟିରେ ରଖି ଦିଲ୍ଲୀ ଉପରାଜ୍ୟପାଳ ସହରର ସମସ୍ତ ପାର୍କଗୁଡ଼ିକର ସୁରକ୍ଷା ଅଡିଟ୍ କରିବାକୁ ନିର୍ଦେଶ ଦେଇଛନ୍ତି। ସେହିପରି ପାର୍କ ଏବଂ ପ୍ରମୁଖ ସ୍ଥାନଗୁଡ଼ିକରେ ପୁଲିସ ମୁତୟନ କରିବାକୁ ମଧ୍ୟ ପଦକ୍ଷେପ ନିଆଯିବାକୁ କୁହାଯାଇଛି।
ସୁପ୍ରିମକୋର୍ଟ ଏହି ପ୍ରସଙ୍ଗରେ ୨୦୧୨ର ମର୍ମନ୍ତୁଦ ‘ନିର୍ଭୟା’ ମାମଲାକୁ ମଧ୍ୟ ମନେ ପକାଇଛନ୍ତି। ସୂଚନାଥାଉ କି ଗତ ଦୁଇ ସପ୍ତାହ ମଧ୍ୟରେ ଦିଲ୍ଲୀରେ ୪ଟି ଦୁଷ୍କର୍ମ ମାମଲା ଘଟିଛି। ସେପ୍ଟେମ୍ବର ୧୦ରେ ସ୍ୱରୂପନଗରରେ ଜଣେ ୧୭ ବର୍ଷର ନାବାଳିକାଙ୍କୁ ଗଣଦୁଷ୍କର୍ମ, ସେପ୍ଟେମ୍ବର ୧୪ରେ ସେଣ୍ଟ୍ରାଲ୍ ଦିଲ୍ଲୀରେ ଜଣେ ୬ ବର୍ଷର ଶିଶୁକନ୍ୟାକୁ ଦୁଷ୍କର୍ମ, ସେପ୍ଟେମ୍ବର ୧୭ରେ ସଦରବଜାରରେ ଜଣେ ୧୧ ବର୍ଷର ନାବାଳିକାକୁ ଦୁଷ୍କର୍ମ, ସେପ୍ଟେମ୍ବର ୨୧ରେ ପାର୍କରେ ପୁଲିସ ପରିଚୟ ଦେଇ ଜଣେ ନାବାଳିକାଙ୍କୁ ଗଣଦୁଷ୍କର୍ମ ଓ ଗ୍ରେଟ୍ ନୋଏଡ଼ାରୁ ଦିଲ୍ଲୀ ଆସୁଥିବା ଏକ ଚଳନ୍ତା ବସ୍ରେ ମଧ୍ୟ ଜଣେ ୧୬ ବର୍ଷର ଛାତ୍ରୀ ଦୁଷ୍କର୍ମର ଶିକାର ହେବା ଘଟଣା ଚାଞ୍ଚଲ୍ୟ ସୃଷ୍ଟି କରିଛି।
