ନୂଆଦିଲ୍ଲୀ : ପ୍ରବଳ ବର୍ଷାରେ ବେହାଲ୍ ଥାଇଲ୍ୟାଣ୍ଡର ରାଜଧାନୀ ବ୍ୟାଙ୍କକ। ଗତ କିଛି ଦିନ ଧରି ଲଗାତାର ଲାଗି ରହିଥିବା ବର୍ଷା ହେବା ଫଳରେ ଥାଇଲ୍ୟାଣ୍ଡର ରାଜଧାନୀ ବ୍ୟାଙ୍କକରେ ଜୀବନଯାତ୍ରା ସମ୍ପୂର୍ଣ୍ଣ ଭାବରେ ବ୍ୟାହତ ହୋଇଛି। ପ୍ରମୁଖ ରାସ୍ତାଗୁଡ଼ିକ ବୁଡ଼ି ରହିଛି ଏବଂ ଅନେକ ଅଞ୍ଚଳରେ ଯାନବାହନ ପାଣିରେ ଭାସୁଥିବା ଦେଖାଯାଉଛି। ପରିସ୍ଥିତି ଏତେ ଭୟଙ୍କର ହୋଇଛି ଯେ ପାଣି ସହିତ ବିଷାକ୍ତ ସାପ ମଧ୍ୟ ଆବାସିକ ଅଞ୍ଚଳ ଏବଂ ମୁଖ୍ୟ ରାସ୍ତାଗୁଡ଼ିକରେ ଦେଖାଯାଉଛନ୍ତି। ଯାହା ଫଳରେ ସ୍ଥାନୀୟ ଲୋକଙ୍କ ମଧ୍ୟରେ ବ୍ୟାପକ ଆତଙ୍କ ସୃଷ୍ଟି ହୋଇଛି। ବ୍ୟାଙ୍କକ ବନ୍ୟା ନିୟନ୍ତ୍ରଣ କେନ୍ଦ୍ର ଅନୁଯାୟୀ, ସପ୍ତାହାନ୍ତରେ ପ୍ରବଳ ବର୍ଷା ଏବଂ ବନ୍ୟା ଯୋଗୁଁଁ ୩୨୯,୦୦୦ ରୁ ଅଧିକ ପରିବାର ପ୍ରଭାବିତ ହୋଇଛନ୍ତି। ଡେପୁଟି ଗଭର୍ଣ୍ଣର କହିଛନ୍ତି ଯେ ସହରର ପ୍ରାୟ ୭୦୦,୦୦୦ ନାଗରିକ ବନ୍ୟା ଦ୍ୱାରା ସିଧାସଳଖ ପ୍ରଭାବିତ ହୋଇଛନ୍ତି। ତଳିଆ ଅଞ୍ଚଳରେ, ପାଣି ଲୋକଙ୍କ ଘରେ ପ୍ରବେଶ କରି ଦୈନନ୍ଦିନ କାର୍ଯ୍ୟକଳାପ ବାଧାପ୍ରାପ୍ତ ହୋଇଛି।

ବନ୍ୟା ଏବଂ ବର୍ଷା ବ୍ୟାଙ୍କକର ବିମାନବନ୍ଦର ଉପରେ ମଧ୍ୟ ଗୁରୁତର ପ୍ରଭାବ ପକାଇଛି। କ୍ଷତିଗ୍ରସ୍ତ ବ୍ୟାଗେଜ କାର୍ଟ ଏବଂ ପାଣିରେ ବୁଡ଼ି ରହିଥିବା ଟର୍ମିନାଲ ଯୋଗୁଁଁ ବିମାନ ଚଳାଚଳରେ ବିଳମ୍ବ ହେଉଛି। ଯାତ୍ରୀଙ୍କ ଲଗେଜ ଜମା ହୋଇ ରହିଛି, ଯାହା ଫଳରେ ଥାଇଲ୍ୟାଣ୍ଡ ଏୟାରୱେଜ୍ ଏହାର କାର୍ଯ୍ୟାଳୟ କର୍ମଚାରୀ, ପରିଚାଳକ ଏବଂ ଏପରିକି ସେନାକୁ ସହାୟତା ପାଇଁ ଡାକିବାକୁ ବାଧ୍ୟ ହୋଇଛି। ଯେଉଁ ଯାତ୍ରୀମାନଙ୍କର ଲଗେଜ ଫସି ରହିଥିଲା ସେମାନଙ୍କୁ ଆଶ୍ୱାସନା ଦିଆଯାଇଥିଲା ଯେ ଏହା ପରେ ସେମାନଙ୍କ ଘର କିମ୍ବା ହୋଟେଲକୁ ପଠାଯିବ।