ଭୁବନେଶ୍ୱର – ୦୭.୧୦- ଶ୍ରୀ ତମ୍ବାପଟ୍ଟା ରଘୁନାଥ ସାହିତ୍ୟ ସଂସ୍କୃତି କଳା ସଂସଦର ତୃତୀୟ ରାଜ୍ୟସ୍ତରୀୟ ସାରସ୍ୱତ ସାହିତ୍ୟ ମହୋତ୍ସବ ଭୁବନେଶ୍ୱରସ୍ଥିତ ବୁଦ୍ଧ ମନ୍ଦିରର ନୂତନ ସଭାକକ୍ଷରେ ଏକ ବର୍ଣ୍ଣାଢ୍ୟ ପରିବେଶରେ ଅନୁଷ୍ଠିତ ହୋଇଯାଇଅଛି । ସଂସଦର ପରିଚାଳନା ସମିତିର ସଭାପତି କୈଳାସ ଚନ୍ଦ୍ର ପଣ୍ଡାଙ୍କ ପୌରହିତ୍ୟରେ ଆୟୋଜିତ ଏହି ଉତ୍ସବରେ ମୁଖ୍ୟ ଅତିଥି ରୂପେ ମାନ୍ୟବର ପର୍ଜଙ୍ଗ ବିଧାୟକ ବିଭୂତି ଭୂଷଣ ପ୍ରଧାନ ଯୋଗ ଦେଇ ଓଡିଶାର ସାହିତ୍ୟ, କଳା, ସଂସ୍କୃତି କିପରି ଆଗକୁ ବଢିବ ସେ ଉପରେ ଆଲୋକପାତ କରିବା ସହ ସଂସଦର ଏକ ଆବାସିକ କାର୍ଯ୍ୟାଳୟ ନିର୍ମାଣ ପାଇଁ ବିଧାୟକ ପାଣ୍ଠିରୁ ଦଶ ଲକ୍ଷ ଟଙ୍କା ମଂଜୁର କରିଥିଲେ । ସମ୍ମାନିତ ଅତିଥି ଭାବେ ବିଶିଷ୍ଟ ସାହିତ୍ୟିକ ତଥା ଆଇନଜୀବୀ କାଳୀଚରଣ ମିଶ୍ର, ବ୍ୟଙ୍ଗ କବି ବୈରାଗୀ ଚରଣ ମଲ୍ଲିକ, ଯାତ୍ରା ନିର୍ଦ୍ଦେଶକ ଭଗବାନ ପଣ୍ଡା, ଶିକ୍ଷାବିତ ଏବଂ ସମାଜସେବୀ ପ୍ରକାଶ ଚନ୍ଦ୍ର ପାଣିଗ୍ରାହୀ ପ୍ରମୁଖ ଯୋଗଦେଇ କହିଥିଲେ, ମଣିଷ ଜୀବନ ସହିତ ସାହିତ୍ୟ ଅଙ୍ଗାଙ୍ଗୀ ଭାବେ ଜଡିତ । ଆଗାମୀ ପିଢ଼ି ସାହିତ୍ୟ ପ୍ରତି କିପରି ଅଭିରୁଚି ରଖିବେ ସେଥିପାଇଁ ସମସ୍ତେ ଯତ୍ନବାନ ହେବା ଆବଶ୍ୟକ । ଏହି ଅବସରରେ ସଂସଦର ମୁଖପତ୍ର ବଣମଲ୍ଲୀର ହସ ଉନ୍ମୋଚନ ହେବା ସହିତ କବି, କବୟିତ୍ରୀ, ଗାଳ୍ପିକ, ଗାଳ୍ପିକା ମାନଙ୍କର ସାତ ଗୋଟି ପୁସ୍ତକ ଉନ୍ମୋଚନ ହୋଇଥିଲା । ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଲାଭ କରିଥିବା ୨୦ଜଣ ପ୍ରତିଭାଙ୍କୁ ସମ୍ବର୍ଦ୍ଧିତ କରାଯିବା ସହ ଏକଶତ ପଚାଶରୁ ଉର୍ଦ୍ଧ୍ଵ କବି କବୟିତ୍ରୀ ମାନଙ୍କୁ ସମ୍ମାନିତ କରାଯାଇଥିଲା । ସାହିତ୍ୟର ପ୍ରଚାର ପ୍ରସାର ପାଇଁ ରାଜ୍ୟର ପାଞ୍ଚୋଟି ପ୍ରତିଷ୍ଠିତ ସାହିତ୍ୟ ଅନୁଷ୍ଠାନ କୁ ମଧ୍ୟ ସମ୍ବର୍ଦ୍ଧିତ କରାଯାଇଥିଲା । ଉତ୍ସବ ପ୍ରାରମ୍ଭରେ ଓଡିଶାର ପ୍ରତ୍ୟେକ ଜିଲ୍ଲାରୁ କବି କବୟିତ୍ରୀ ଉପସ୍ଥିତ ରହି କବିତାପାଠ କରିଥିଲେ । ସଂସଦର ଅଧ୍ୟକ୍ଷ ସନ୍ତୋଷ କୁମାର ପାଣୀ,ଉପାଧ୍ୟକ୍ଷ ଦିଲ୍ଲୀପ କୁମାର ଶତପଥୀ, ମାର୍ଗଦର୍ଶକ ସୁରେଶ ଚନ୍ଦ୍ର ପଣ୍ଡା, ଗୋକୁଳଚନ୍ଦ୍ର ପଣ୍ଡା, ରାମଚନ୍ଦ୍ର ଦାଶ, ବସନ୍ତ କୁମାର ପାଣି, କାହ୍ନୁଚରଣ ପାଣି, ସୁଜିତ କୁମାର ପଣ୍ଡା, ହେମନ୍ତ କୁମାର ପଣ୍ଡା,ସୁବ୍ରତ କୁମାର ପାଣି , ପତିତପାବନ ପତି , ପ୍ରସନ୍ନ ପଣ୍ଡା, ସୁକାନ୍ତ ରାଉତ, ,ଜ୍ୟୋତିର୍ମୟୀ ନାଥ, ପୁଷ୍ପାଞ୍ଜଳି ରାଉତ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମର ସମ୍ପାଦନା ଦାୟିତ୍ୱ ତୁଲାଇଥିଲେ । ସଂସଦର ପ୍ରତିଷ୍ଠାତା ସମ୍ପାଦକ ବଟକୃଷ୍ଣ ପଣ୍ଡା ସଭା ପରିଚାଳନା କରିଥିବା ବେଳେ, ବିବେକାନନ୍ଦ ଷଡ଼ଙ୍ଗୀ ଧନ୍ୟବାଦ ଅର୍ପଣ କରିଥିଲେ ।
