ବରଗଡ : ବରଗଡ଼ ଜିଲା ଅତାବିରା ବ୍ଲକ ଗୋଡ଼ଭଗାର ଡା. ଅଭିଷେକ ନାଏକ l ଜନ୍ମମାଟି ପାଇଁ ଆଣିଛନ୍ତି ଗର୍ବ ଓ ଗୌରବ l ସେ ବିଏଚ୍ୟୁସ୍ଥିତ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍ସେସ୍ (IMS, BHU)ରୁ ଅର୍ଥୋପେଡିକ୍ସରେ ଏମ୍ଏସ୍ ଶିକ୍ଷା ସଫଳତାର ସହ ସମାପ୍ତ କରି ସ୍ୱର୍ଣ୍ଣପଦକ ସହ ଶ୍ରେଷ୍ଠ ସ୍ଥାନ (ଟପର) ହାସଲ କରିଛନ୍ତି। ଏହା ସହ ସେପ୍ଟେମ୍ବର ୨୯ ରୁ ଚଳିତ ମାସ ୧ ତାରିଖ ଯାଏଁ ଜାପାନର କ୍ୟୋଟୋ ଠାରେ ଆୟୋଜିତ ୪୬ତମ ଆନ୍ତର୍ଜାତୀୟ ଅର୍ଥୋପେଡିକ୍ସ କଂଗ୍ରେସ (ବିଶ୍ୱ ଅସ୍ଥିଶଲ୍ୟ ସମ୍ମିଳନୀ)ରେ ବିଶେଷଜ୍ଞ ବକ୍ତା ଭାବେ ଯୋଗଦେଇ ନିଜ ଗବେଷଣା ଓ ଅଭିଜ୍ଞତା ଉପସ୍ଥାପନ କରି ଉଚ୍ଚ ପ୍ରଶଂସିତ ହୋଇଛନ୍ତି l ସେ ସ୍ପୋର୍ଟ୍ସ ମେଡ଼ିସିନ ଓ ମିନିମାଲ ଇନଭେସିଭ ଅର୍ଥୋପେଡିକ୍ସ ସର୍ଜରୀରେ ନିଜର ଗବେଷଣାତ୍ମକ ବକ୍ତବ୍ୟ ରଖି ବିଶ୍ୱ ଦରବାରରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରି ପାରିଛନ୍ତି l ପୂର୍ବରୁ ତାଙ୍କ ଦ୍ୱାରା ରଚିତ ସ୍ୱତନ୍ତ୍ର ଆଣ୍ଠୁଗଣ୍ଠି ଅସ୍ତ୍ରୋପଚାର ସମ୍ବନ୍ଧୀୟ ସନ୍ଦର୍ଭ ଆନ୍ତର୍ଜାତୀୟ ଅସ୍ଥିଶଲ୍ୟ ପତ୍ରିକାରେ ପ୍ରକାଶିତ ହୋଇଛି। ସେ ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟ ରୁ ଅସ୍ଥିଶଲ୍ୟ ପିଜିରେ ଟପର ହୋଇ ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି l ପୂର୍ବରୁ ମଧ୍ୟ ଏମ୍ସରେ ଏମବିବିଏସ ରେ ଟପର ହୋଇ ମହାମହିମ ରାଷ୍ଟ୍ରପତିଙ୍କ ଠାରୁ ସ୍ବର୍ଣ୍ଣ ପଦକ ଗ୍ରହଣ କରିସାରିଛନ୍ତି l ଡ଼ା. ଅଭିଷେକ ହେଉଛନ୍ତି ବରଗଡ଼ ଜିଲା ଅତାବିରା ବ୍ଲକ ଡାକ୍ତର ସୁଜାତା ନାଏକ ଏବଂ ପ୍ରଦୀପ ନାଏକ ସୁପୁତ୍ର l ଏହା ସହ ଲରମ୍ଭା କଲେଜର ଅବସରପ୍ରାପ୍ତ ଅଧ୍ୟକ୍ଷ ଡ଼ ସନ୍ତୋଷ ନାଏକଙ୍କ ପୌତ୍ର l ସେ ନିଜ ଜନ୍ମମାଟି ଅଞ୍ଚଳବାସୀଙ୍କୁ ସ୍ୱଳ୍ପ ବ୍ୟୟରେ ଉନ୍ନତମାନର ବିଶ୍ୱସ୍ତରୀୟ ଅସ୍ଥିଶଲ୍ୟ ସେବା ଯୋଗାଇବାକୁ ପ୍ରତିଶ୍ରୁତିବଦ୍ଧ ବୋଲି କହିଛନ୍ତି l
