ମୟୂରଭଞ୍ଜ – ଟ୍ରାନ୍ସଫରମର କଏଲ ଚୋରି ଘଟଣାରେ ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ପୋଲିସକୁ ମିଳିଛି ସଫଳତା। ମୟୂରଭଞ୍ଜ ଜିଲ୍ଲାର ବିଭିନ୍ନ ଅଞ୍ଚଳ ସମେତ ପଡ଼ୋଶୀ ଜିଲ୍ଲାରେ ଟ୍ରାନ୍ସଫରମର କଏଲ ଓ ବିଦ୍ୟୁତ ସାମଗ୍ରୀ ଚୋରି କରୁଥିବା ଏକ ଗ୍ୟାଙ୍ଗର ୮ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ। ଗିରଫ ଅଭିଯୁକ୍ତମାନଙ୍କ ନିକଟରୁ ଲକ୍ଷାଧିକ ଟଙ୍କାର ବିଭିନ୍ନ ଚୋରି ସାମଗ୍ରୀ ଜବତ କରାଯାଇଥିବା ଜଣାପଡ଼ିଛି । ରାଇରଙ୍ଗପୁର ଜିଲ୍ଲା ପୋଲିସ ଆରକ୍ଷୀ ଅଧିକ୍ଷକ ସୁରେଶ ଚନ୍ଦ୍ର ପାତ୍ର ଏକ ସାମ୍ବାଦିକ ସମ୍ମିଳନୀରେ ଏନେଇ ସୂଚନା ଦେଇଛନ୍ତି। ତାଙ୍କ ସହିତ ପାଞ୍ଚପୀଢ଼ ଉପଖଣ୍ଡ ପୋଲିସ ଅଧିକାରୀ ନବକୃଷ୍ଣ ନାଏକ, କରଞ୍ଜିଆ ଥାନା ଭାରପ୍ରାପ୍ତ ଅଧିକାରୀ ମୃତ୍ୟୁଞ୍ଜୟ ପ୍ରଧାନ, ଯଶିପୁର ଥାନା ଭାରପ୍ରାପ୍ତ ଅଧିକାରୀ ରାଜେଶ କୁମାର ସେଠୀ ଓ ବହଳଦା ଥାନା ଭାରପ୍ରାପ୍ତ ଅଧିକାରୀ ଭାସ୍କର ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ। ପୋଲିସ ସୂଚନା ଅନୁଯାୟୀ, ଟିପିଏନଓଡ଼ିଏଲ ସେକ୍ସନ ମ୍ୟାନେଜରଙ୍କ ପକାମୁଣ୍ଡାସ୍ଥିତ ଟ୍ରାନ୍ସଫରମର କଏଲ ଚୋରି ଅଭିଯୋଗ ପରେ କରଞ୍ଜିଆ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଥିଲା। ପୋଲିସ ଏକ ସ୍ୱତନ୍ତ୍ର ଦଳ ଗଠନ କରି ପାଞ୍ଚପୀଢ଼ ଉପଖଣ୍ଡ ପୋଲିସ ଅଧିକାରୀ ନବକୃଷ୍ଣ ନାଏକଙ୍କ ନେତୃତ୍ୱରେ ବିଭିନ୍ନ ସ୍ଥାନରେ ଚଢ଼ାଉ କରିଥିଲା। ଘାଗରବେଡା ଥାନା ଅନ୍ତର୍ଗତ ସଗଡ଼ା ଗ୍ରାମରେ ତଦନ୍ତ ସମୟରେ ଟ୍ରାନ୍ସଫରମରରୁ ଅଏଲ ଚୋରି କରୁଥିବା ବେଳେ ହାତଗୋଡ଼ ହରାଇଥିବା ଅରୂପ ଗିରିଙ୍କଠାରୁ ପୋଲିସକୁ କିଛି ଗୁରୁତ୍ୱପୂର୍ଣ୍ଣ ପ୍ରମାଣ ମିଳିଥିଲା। ସେହି ସୂତ୍ରକୁ ଆଧାର କରି ପୋଲିସ ବାରିପଦାର ପାଲବଣି, ଦାନ୍ତିଆମୁହାଁ, ଘାଗରବେଡା, ଚମ୍ପୁଆ, ଯଶିପୁର ସମେତ ବିଭିନ୍ନ ଅଞ୍ଚଳରେ ଚଢ଼ାଉ କରିଥିଲା। ଚଢ଼ାଉ ସମୟରେ ମୋଟ ୮ ଜଣ ଅଭିଯୁକ୍ତଙ୍କୁ ପୋଲିସ କାବୁ କରିବାରେ ସଫଳ ହୋଇଥିଲା। ତଦନ୍ତରୁ ଏହି ଗ୍ୟାଙ୍ଗ ରାଇରଙ୍ଗପୁର ଓ କରଞ୍ଜିଆ ଅଞ୍ଚଳର ବିଭିନ୍ନ ସ୍ଥାନରୁ ଟ୍ରାନ୍ସଫରମର କଏଲ ଓ ବିଦ୍ୟୁତ ସାମଗ୍ରୀ ଚୋରି କରୁଥିବା ଜଣାପଡ଼ିଛି। ଗିରଫ ଅଭିଯୁକ୍ତଙ୍କ ନିକଟରୁ ପୋଲିସ ୨୧୦ କିଲୋଗ୍ରାମ କଣ୍ଡକ୍ଟର ତାର, ୧୨୦ କିଲୋଗ୍ରାମ ତମ୍ବା ତାର, ୧୧ କେଭି ଓ ୩୩ କେଭି ଇନସୁଲେଟର ପିନ୍, ୨ଟି କଟର ମେସିନ, ୩ଟି କଟର ପ୍ଲାସ, ୩ଟି ଲାଇନମ୍ୟାନ ହେଲମେଟ, ୨ଟି ଜ୍ୟାକେଟ, ୩ଟି ମଟରସାଇକେଲ ଓ ୧୦ଟି ମୋବାଇଲ ଫୋନ ଜବତ କରିଛି। ଜବତ ସାମଗ୍ରୀର ଆନୁମାନିକ ମୂଲ୍ୟ ଲକ୍ଷାଧିକ ଟଙ୍କା ହେବ ବୋଲି ପୋଲିସ ପକ୍ଷରୁ କୁହାଯାଇଛି। ଗିରଫ ଅଭିଯୁକ୍ତମାନଙ୍କ ମଧ୍ୟରୁ ଅନେକେ ପୂର୍ବରୁ ମଧ୍ୟ ବିଭିନ୍ନ ଚୋରି ମାମଲାରେ ସମ୍ପୃକ୍ତ ଥିବା ସହ କୋର୍ଟ ଚାଲାଣ ହୋଇଥିବାନେଇ ସୂଚନା ଦେଇଛି ପୋଲିସ। କରଞ୍ଜିଆ ପୋଲିସର ଏହି ସଫଳତା ଫଳରେ ଟ୍ରାନ୍ସଫରମର କଏଲ ଓ ବିଦ୍ୟୁତ ସାମଗ୍ରୀ ଚୋରି ସମ୍ପର୍କିତ ଆହୁରି ଅନେକ ଘଟଣାର ପର୍ଦ୍ଦାଫାଶ ହେବା ସମ୍ଭାବନା ରହିଛି। ଘଟଣାରେ ଅଧିକ ଲୋକଙ୍କ ସମ୍ପୃକ୍ତି ଓ ଚୋରି ସାମଗ୍ରୀ କେଉଁଠାରେ ବିକ୍ରି ହେଉଥିଲା, ସେନେଇ ମଧ୍ୟ ପୋଲିସ ତଦନ୍ତ ଜାରି ରଖିଛି। ଗିରଫ ସମସ୍ତ ଅଭିଯୁକ୍ତଙ୍କୁ ଆଇନଗତ ପ୍ରକ୍ରିୟା ଅନୁଯାୟୀ ଆସନ୍ତାକାଲି କୋର୍ଟ ଚାଲାଣ କରାଯିବ ବୋଲି ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି।